fbpx

୧୪ ବର୍ଷର ପିଲାକୁ ନେଇ ବିଶ୍ୱରେ ଚର୍ଚ୍ଚା: SpaceX କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଚାକିରି କରିବ ଛୋଟ ବାଳକ

ନୂଆଦିଲ୍ଲୀ: ସାଧାରଣ ଭାବେ ଯୁକ୍ତଦୁଇ ପାସ କରିବା ପରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରି ଡିଗ୍ରୀରେ ଆଡମିଶନ ନେଇଥାନ୍ତି । ବି.ଟେକ ସମାପ୍ତ ହେବା ପାଇଁ ୪ ବର୍ଷ ସମୟ ଲାଗିଥାଏ । ଅନେକ ପିଲା ଦଶମ ପାସ୍ କରିବା ପରେ ଡିପ୍ଲୋମା ଇଞ୍ଜିନିୟରିଂ କରିଥାନ୍ତି । ତେବେ ଗୋଟିଏ ପିଲା ମାତ୍ର ୧୧ ବର୍ଷ ବୟସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଡିଗ୍ରୀ ଆରମ୍ଭ କରିଥିବା ବେଳେ ଚଳିତ ମାସରେ ସେ କାଲିଫଣ୍ଣିଆର ସାଣ୍ଟା କ୍ଲାରା ୟୁନିଭରସିଟିରୁ ଗ୍ରାଜୁଏଟ କୋର୍ସ ସମାପ୍ତ କରିବ ।

କାଇରାନ କ୍ୱାଜି ନାମକ ଏହି ଅସାଧାରଣ ବାଳକର ଆଇକ୍ୟୁକୁ ନେଇ ସାରା ବିଶ୍ୱ ଏବେ ସଲାମ୍ କରୁଛି । କାଇରାନଙ୍କ ବ୍ରେନର ଅଦ୍ଭୂତ ଶକ୍ତି ବିଷୟରେ ଜାଣିବା ପରେ ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ଏହି ବାଳକକୁ ସ୍ପେସେକ୍ସ କମ୍ପାନୀରେ ଚାକିରି ଅଫର ଦେଇଥିଲେ । କମ୍ପାନୀ ତରଫରୁ ଆୟୋଜିତ ହୋଇଥିବା ବୈଷୟିକ ଚ୍ୟାଲେଞ୍ଜିଂ ସାକ୍ଷାତକାର ପରୀକ୍ଷାରେ କାଇରାନ ପାସ କରିଛନ୍ତି । ଖୁବାଶୀଘ୍ର କାଇରାନ ସ୍ପେସେକ୍ସରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ ଯୋଗ ଦେବାକୁ ଯାଉଛନ୍ତି ।

ମାର୍ସକୁ ମଣିଷ ପଠାଇବା ଦିଗରେ ସ୍ପେସେକ୍ସ କାର୍ଯ୍ୟ କରୁଥିବାରୁ ଏହି କମ୍ପାନୀରେ ଯୋଗ ଦେବା ନେଇ ବେଶ୍ ଉତ୍ସାହିତ ରହିଛନ୍ତି କାଇରାନ । ଷ୍ଟାରଲିଙ୍କ ଇଞ୍ଜିନିୟରିଂ ଟିମରେ କାଇରାନ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ । କାଲିଫର୍ଣ୍ଣିଆର ପ୍ଲିଜାଣ୍ଟୋନ ସହରରେ ଜନ୍ମ ଗ୍ରହଣ କରିଥିବା କାଇରାନ ଆସନ୍ତା ୧୭ ତାରିଖରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବେ । ମାତ୍ର ଏହା ପୂର୍ବରୁ ସେ ନିଜ କ୍ୟାରିୟରର ପ୍ରଥମ ଚାକିରି ପାଇବାରେ ସକ୍ଷମ ହୋଇଛନ୍ତି । ମାତ୍ର ୯ ବର୍ଷ ବୟସରେ କାଇରାନ ସାଧାରଣ ଜନସଂଖ୍ୟା ଆଇକ୍ୟୁ ଟେଷ୍ଟରେ ୯୯.୯ ପ୍ରତିଶତ ପରସେଣ୍ଟାଇଲ ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ ।

ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଜିକାଲି ପିତାମାତା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାପରେ ବି ଅନେକ ପିଲା ସ୍ୱପ୍ନ ମୁତାବକ ଚାକିରିଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ମାତ୍ର ୧୪ ବର୍ଷ ବୟସରେ ବିଶ୍ୱର ଅନ୍ୟତମ ଟପ୍ କମ୍ପାନୀରେ କାର୍ଯ୍ୟ କରିବା ସୁଯୋଗ ବହୁତ କମ୍ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ମାତ୍ର ୨ ବର୍ଷ ବୟସରେ କାଇରାନ ସମ୍ପୂର୍ଣ୍ଣ ବାକ୍ୟ କହିବାରେ ସକ୍ଷମ ହୋଇଥିଲେ । କାଇରାନଙ୍କ ଏହି ବଡ଼ ସଫଳତା ତାଙ୍କ ବୟସର ଅନ୍ୟ ପିଲାଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ସାଜିବ ।

Get real time updates directly on you device, subscribe now.