fbpx

ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ

ଓଡିଶା ଭାସ୍କର; ରାତି ପାହିଲେ ଦେଶ ପାଳନ କରିବ ତାର ୭୭ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ଏବେ ସାରା ଦେଶବାସୀ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କାଲି ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି ଉଡ଼ାଇବ ତାର ତ୍ରିରଙ୍ଗା ପତାକା । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଶୁଭିବ ଭାରତ ମାତାର ଜୟ ଗାନ । ଆଉ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହେବ ଦେଶର ପ୍ରତ୍ୟେକ ସ୍ଥାନ । ଜାତି, ଭେଦ ଭାବ, ଧନୀ ଓ ଗରିବ ସମସ୍ତେ ଗୋଟିଏ ପତାକା ତଳେ ହିଁ ରହିବେ । ଆଉ ସାରା ବିଶ୍ୱକୁ ଭାରତ ମାତା ଦେଖାଇଦେବ ତାର ଅଖଣ୍ଡତାର ପରିଚୟ ।

ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଗତକାଲି ଫୁଲ୍ ଡ୍ରେସ ରିହର୍ସଲ ଶେଷ ହୋଇଥିବା ବେଳେ ଆଜି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଆସନ୍ତା କାଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପୋଲିସ । ସମ୍ପୂର୍ଣ୍ଣ ଉତ୍ସବ ସ୍ଥଳକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।

ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ମ ଥର ଲାଗି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ । ଏହା ସହ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିିତ କରିବେ । ଏହି ଅବସରରେ ଲାଲକିଲ୍ଲାର ପରିସରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଲାଲ କିଲ୍ଲାରେ ଚଳିତ ବର୍ଷ ଆୟୋଜିତ ହେଉଥିବା ସ୍ୱାଧୀନତା ଦିବସ ସମାରୋହ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏଠାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭାର୍ଥୀଙ୍କ ସହିତ ସାରା ଦେଶରୁ ୧୮୦୦ ବିଶେଷ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି ।

ଏହି ପ୍ରୟାସ ସରକାରଙ୍କ ଜନଭାଗିଦାରୀ ଦୃଷ୍ଟିକୋଣ ଅନୁରୂପ କରାଯାଇଛି । ଏହି ବିଶେଷ ଅତିଥିଙ୍କ ମଧ୍ୟରେ ୪୦୦ ସରପଞ୍ଚ ସାମିଲ ଅଛନ୍ତି । ଏହା ବ୍ୟତିତ କୃଷକ ଉତ୍ପାଦକ ଯୋଜନା ସହ ଜଡିତ ୨୫୦ କୃଷକ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦-୫୦ ପ୍ରତିଭାଗୀ, ନୂତନ ସଂସଦ ଭବନ ସହିତ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନାର ୫୦ ନିର୍ମାଣ ଶ୍ରମିକ ଓ ୫୦-୫୦ ଖଦୀ କର୍ମକର୍ତ୍ତା ଏହି ଅତିଥିଙ୍କ ମଧ୍ୟରେ ସାମିଲ ରହିଛନ୍ତି ।

କେବଳ ଏତିକି ନୁହେଁ ସୀମା ସଡକ ସଂଗଠନ କର୍ମୀ, ଅମୃତ ସରୋବର ପରିଯୋଜନା , ହର ଘର ଜଳ ଯୋଜନାରେ ସହଯୋଗ କରୁଥିବା ଓ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ସମାରୋହରେ ନିଜ ନିଜର ଜୀବନସାଥୀଙ୍କ ସହିତ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି । ଏହା ବ୍ୟତିତ ୫୦-୫୦ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ନର୍ସ ଓ ମାଛଧରାଳୀଙ୍କ ନାମ ମଧ୍ୟ ତାଲିକାରେ ସାମିଲ ରହିଛି ।

Get real time updates directly on you device, subscribe now.