fbpx

ବନ୍ଦେ ମାତରମ୍…ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ: ପ୍ରତି ଭାରତୀୟଙ୍କ ମୁହଁରେ ବୀରତ୍ୱ ଗାଥା

ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ପ୍ରତ୍ୟେକ ନାଗରିକଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ । କାରଣ ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପରାଧୀନ ଭାରତ ଏକ ସ୍ୱାଧୀନ ଭାରତର ଆଖ୍ୟା ପାଇଥିଲା । ବ୍ରିଟିଶକୁ ଦମନ କରି ଗଢି ଉଠିଥିଲା ସ୍ୱତନ୍ତ୍ର ଭାରତ । ଯେଉଁ ଦେଶରେ ପ୍ରତ୍ୟେକଟି ନାଗରିକ ହେଉଛନ୍ତି ସ୍ୱାଧୀନ । ନିଜ ଇଚ୍ଛା ଏବଂ ନିଜ ଶୈଳୀରେ ଜୀବନ ଜିଇବା ପାଇଁ ହାସଲ କରିଥିଲେ ସ୍ୱତନ୍ତ୍ରତା । ସ୍ୱାଧୀନ ଭାରତରେ ନା ଅଛି କେଉଁ ଇଂରେଜ ବାବୁର ଚାବୁକ ମାଡ଼ର ଭୟ ନା କେଉଁ ବ୍ରିଟିଶରାଜ୍ । ଖୋଲା ଆକାଶରେ ମୁକ୍ତ ବିହଙ୍ଗ ପରି ଡେଣା ମେଲାଇ ଉଡ଼ି ବୁଲୁଛି ପ୍ରତ୍ୟେକଟି ଭାରତୀୟ ନାଗରିକ । କାରଣ ଆଜି ହେଉଛି ସେହି ଭାରତ ମାତାର ସ୍ୱାଧୀନତା ଦିବସ ।

ଦୀର୍ଘ ୨୦୦ ବର୍ଷର ଶାସନ କରି ଇଂରେଜ ସବୁ ଦିନ ପାଇଁ ଭାରତକୁ ନିଜ ଅକ୍ତିଆର କରିବା ପାଇଁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ତାଙ୍କର ସେହି ସ୍ୱପ୍ନ ଭାରତୀୟଙ୍କ ଆଖିରେ ଲୁହ ଦାର ହୋଇ ବହି ଚାଲିଥିଲା । ଯାହାକୁ ଦେଖି କମ୍ପି ଉଠିଥିଲା ଦେଶର ବୀର ପୁରୁଷମାନଙ୍କ ଛାତି । ତେଣୁ ଇଂରେଜଗୁଡ଼ିକୁ ଭାଙ୍ଗିବା ପାଇଁ ସେମାନେ ଛାତି ଫୁଲାଇ ଆଗେଇ ଆସିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଲାଲ୍ ବାଲ୍ ପାଲ୍, ବୀର ସୁରେନ୍ଦ୍ର ସାଏ, ସହିଦ ଭଗତ ସିଂହ, ସହିଦ ରାଜଗୁରୁଙ୍କ ଭଳି ଦେଶପ୍ରେମୀଙ୍କ ଦେଶଭକ୍ତିର ସ୍ୱରରେ ତାଳ ମିଶାଇ ଭାରତ ଇଂରେଜକୁ ସାମନା କରିବା ପାଇଁ ପ୍ରସ୍ତୁତ ହୋଇଥିଲା । ଆଖିରେ ସ୍ୱାଧୀନ ହେବାର ସ୍ୱପ୍ନ ଆଉ ଦେଶକୁ ପର ଅକ୍ତିଆରରୁ ମୁକ୍ତ କରିବାର ନିଶା ସେମାନଙ୍କୁ ପାଗଳ କରି ଦେଉଥିଲା । ଜୀବନ ଯାଉ, ଦେଶ ନ ଯାଉ…ମରିବୁ ପଛେ ଦେଶକୁ ପର ଅଧୀନରୁ ଛଡ଼ାଇ ନେବୁ । ଏମିତି ଲକ୍ଷ୍ୟରେ ଅଣ୍ଟା ଭିଡ଼ିଥିଲା ଭାରତ । ଅନେକ ରକ୍ତପାତ, ଅନେକ ବଳି ଆଉ କେତେ ଦେଶବାସୀଙ୍କୁ ଇଂରେଜର ଚାବୁକ ମାଡ଼ ଖାଇବାକୁ ପଡ଼ିଛି ତ ହଜାର ହଜାର ସଂଗ୍ରାମୀ ଭାରତମାତା ପାଇଁ ଉତ୍ସର୍ଗ କରି ଦେଇଛନ୍ତି ନିଜ ଜୀବନ । କିନ୍ତୁ ହାରିଯିବା କି ପଛକୁ ଘୁଞ୍ଚିବା ଭଳି ମନୋଭାବ ସେଦିନ ତାଙ୍କୁ ଛୁଇଁ ପାରି ନଥିଲା । ନିଜ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାର ଆଶା ସେମାନଙ୍କୁ ବ୍ୟଥିତ କରି ଦେଉଥିଲା ।

ସେମାନଙ୍କ ସାହସିକତାର ପଦକ୍ଷେପ ଆଉ ମହାନ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ସେମାନଙ୍କ ପାଦକୁ ଇଂରେଜ ବି ଥରହର ହୋଇଯାଇଥିଲା । ୨୦୦ ବର୍ଷ ଯାଏଁ ନିଜର ଗୁଲାମ କରି ରଖିଥିବା ସମସ୍ତ ଭାରତୀୟ ସତେ ଯେମିତି ସେଦିନ ରକ୍ତମୁଖା ପାଲଟି ଯାଇଥିଲେ । ଇଂରେଜକୁ ଦମନ କରିବାର ପଣ ନେଇ ଆରମ୍ଭ କରିଥିଲେ ‘ଭାରତ ଛାଡ଼’ ଆନ୍ଦୋଳନ । ବାସ୍ ଚାହୁଁ ଚାହୁଁ ସେ ଗୌରବର ଦିନ ମଧ୍ୟ ଆସି ପହଞ୍ଚିଥିଲା ଭାରତୀୟଙ୍କ ପାଖରେ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ, ଇଂରେଜ ପାଖରେ ଦେଶର ସଂଗ୍ରାମୀମାନଙ୍କ ସ୍ଲୋଗାନ୍ ଏବଂ ସେମାନଙ୍କ ଆନ୍ଦୋଳନର କୌଣସି ପ୍ରତି ଉତ୍ତର ପାଇନଥିଲେ ବ୍ରିଟଶ ଗଡ଼ । ଶେଷରେ ବାଧ୍ୟ ହୋଇଥିଲା ଭାରତ ଛାଡ଼ିବା ପାଇଁ । ରାତାରାତି ସାତ ଦରିଆ ତେର ନଈ ପାର ହୋଇ ନିଜ ଦେଶକୁ ପଳାୟନ କରିବା ଛଡ଼ା ଅନ୍ୟ କୋøଣସି ଉପାୟ ପାଇନଥିଲା ଇଂରେଜ । ବ୍ରିଟିଶ ଦେଶ ଛାଡ଼ି ଯିବା ପରେ ସଫଳ ହୋଇଥିଲା ‘ଭାରତ ଛାଡ଼ ଆନ୍ଦୋଳନ’ । ଆଉ ତା’ ପର ଦିନ ସକାଳର ସୂର୍ଯ୍ୟୋଦୟ ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଥିଲା ଏକ ନୂଆ ସକାଳ । ସ୍ୱାଧୀନ ଆଖିରେ ଭାରତୀୟମାନେ ସୂର୍ଯ୍ୟୋଦୟ ଦେଖିଥିଲେ ।

ସେହି ଅନୁଭୂତି ଥିଲା ନିଆରା । ରାତି ପାହିଲା ମାତ୍ରେ ଇଂରେଜର ପତାକାକୁ କାଢି ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’କୁ ସମ୍ମାନର ସହ ସ୍ଥାପନ କରାଯାଇଥିଲା । ପତାକା ଉତ୍ତୋଳନ କରି ‘ଭାରତ ମାତା କି ଜୟ..’, ‘ମେରା ଭାରତ, ମହାନ ହେ…’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ଭାରତ । ଦୂର ଦୂର ପର୍ଯ୍ୟନ୍ତ ଏହି ଧ୍ୱନିର ପ୍ରକମ୍ପନ ଗୁଞ୍ଜି ଉଠିଥିଲା । କାରଣ ଏ ଥିଲା ସ୍ପତନ୍ତ୍ର ଭାରତର ଆଉ ସ୍ୱାଧୀନ ଭାରତୀୟଙ୍କ ଅନ୍ତରର ସ୍ୱର । ସେହି ଦିନରୁ ସାରା ଦେଶ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି ।

Get real time updates directly on you device, subscribe now.