fbpx

ପାକିସ୍ତାନ ଉପରେ ପୁଣି ଭାରତର Surgical Strike 2.0: ‘ମିଶନ୍’ ରେ ସାମିଲ ଥିଲେ ୧୫ କମାଣ୍ଡୋ

ନୂଆଦିଲ୍ଲୀ: ପୁଣିଥରେ ଶତ୍ରୁ ରାଷ୍ଟ୍ରରେ ପଶି ଆତଙ୍କବାଦଙ୍କୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପୁଣିଥରେ ପାକିସ୍ତାନକୁ ଦେଖାଇଛି ଭାରତୀୟ ସେନା ଏବଂ ଯବାନଙ୍କ ସାହସ ଓ ଦକ୍ଷତା । ରଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନକୁ ନିଜ ଶକ୍ତିର ପରାକାଷ୍ଠା ଦେଖାଇଛି । ଜମ୍ମୁ-କାଶ୍ମୀରର କୋଟଲୀ ନକୟାଲରେ ସକ୍ରିୟ ଥିବା ଆତଙ୍କବାଦୀ ମାନଙ୍କର ୪ଟି ଲଞ୍ଚିଙ୍ଗ ପ୍ୟାଡକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି ଇଣ୍ଡିଆନ୍ ଆର୍ମି । ୨୦୧୬ ମସିହାର ସର୍ଜିକାଲ ଷ୍ଟ୍ରାଇକ ପରେ ଏହା ଭାରତର ପାକିସ୍ତାନ ଉପରେ ଦ୍ୱିତୀୟ Surgical Strike ବୋଲି କୁହାଯାଇଛି ।

ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନର ୭-୮ ଆତଙ୍କବାଦ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କିଛି ଆତଙ୍କବାଦ ‘ବ୍ୟାଟ୍’ର ସଦସ୍ୟ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଭାରତର ବୀର ଯବାନ ସୀମାର ପ୍ରାୟ ୨.୫ କିଲୋମିଟର ଭିତରକୁ ଯାଇ ପାକିସ୍ତାନୀ ଆତଙ୍କବାଦ ଗୋଷ୍ଠୀକୁ ଦେଇଛନ୍ତି ଶକ୍ତିର ପରିଚୟ । ଭାରତର ଏହି ‘ମିଶନ୍’ରେ ସ୍ପେଶାଲ ଫୋର୍ସର ୧୨-୧୫ ଜଣ କମାଣ୍ଡୋ ସାମିଲ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଅବସ୍ଥାରେ ପୁଣିଥରେ ନିଜ ଦେଶକୁ ଫେରି ଆସିଛନ୍ତି ।

ଭାରତୀୟ ସୁରକ୍ଷା ଏଜେନ୍ସିକୁ ସୂଚନା ମିଳିଥିଲା ଯେ, LoCର ଅପର ପାଖରେ ଏହି ଲଞ୍ଚିଙ୍ଗ ପ୍ୟାଡରେ ଗତ କିଛି ଦିନରୁ ବଡ଼ ଆକ୍ରମଣକୁ ନେଇ ଯୋଜନା କରାଯାଉଛି । ଲଞ୍ଚିଙ୍ଗ ପ୍ୟାହରେ ପାକିସ୍ତାନୀ ସେନା, ଗୁପ୍ତଚର ଆଇଏସଆଇ ଏବଂ ବ୍ୟାଟ ଟିମ୍ ର ଗତିବିଧି ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଖବର ମିଳିବା ପରେ ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଭାରତ ରଚିଥିଲା ‘Surgical Strike 2.0’ । LoC ନିକଟରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦଙ୍କୁ ନେଇ ତିଆରି ହୋଇଥିବା ଏହି ଟିମ୍ ସକ୍ରିୟ ରହିବା ସହ ସୁଯୋଗ ପାଇଲେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥାନ୍ତି । ତେବେ ଏହି ମିଶନ ସମୟରେ ପାକିସ୍ତାନୀ ସେନା ସତର୍କ ହେବା ଭିତରେ ଭାରତୀୟ କମାଣ୍ଡୋ ନିଜ ଅପରେସନରେ ସଫଳତା ହାସଲ କରି ସାରିଥିଲେ ।

ପାକିସ୍ତାନର ଏହି ନାପାକ ଷଡ଼ଯନ୍ତ୍ରକୁ ବିଫଳ କରି ପାକିସ୍ତାନକୁ କଡ଼ା ହୁଙ୍କାର ମଧ୍ୟ ଦେଇଛି । ଏହି ମିଶନ୍ ସହ ଭାରତୀୟ ସେନା ପ୍ରତି ସାବଧାନ ରହିବାକୁ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଏହି କମାଣ୍ଡୋ ଟିମ୍ । ତେବେ ଏହି ‘ମିଶନ୍’କୁ ଭାରତୀୟ ସେନା ପକ୍ଷରୁ ‘Surgical Strike’ ବୋଲି ଘୋଷଣା କରାଯାଇନାହିଁ । କିନ୍ତୁ ଶନିବାର ରାତିରେ ଏହି ସର୍ଜିକାଲ ଷ୍ଟ୍ରାଇକ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ସେପଟେ ସର୍ଜିକାଲ ଷ୍ଟ୍ରାଇକର ୩ ଦିନ ପରେ ମଧ୍ୟ ପାକିସ୍ତାନ ଚୁପ ରହିଛି । ଅର୍ଥାତ୍ ବାଲାକୋଟ ଏୟାର ଷ୍ଟ୍ରାଇକ ଭଳି ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ । ଏଠାକାର ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଭାରତୀୟ ସେନାର ଗୁଳିରେ କ୍ଷେତରେ କାମ କରୁଥିବା ଜଣେ ବୃଦ୍ଧ ଚାଷୀଙ୍କର ମୃତ୍ୟୁ ହୋଇଛି । ଏହି ବୟାନ ଦ୍ୱାରା ନିଜର ଆତଙ୍କବାଦ ଗତିବିଧିକୁ ଲୁଚାଇବାକୁ ପ୍ରୟାସ କରୁଛି ପାକିସ୍ତାନ ।

Get real time updates directly on you device, subscribe now.