fbpx
BJD SKY
BJD SKY

ବଢ଼ିଲା ଚିନ୍ତା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହେଲା ଶିଶୁ

BJD

ଅହମ୍ମଦାବାଦ: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ସମ୍ପ୍ରତି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେକେତ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ବିଶେଷକରି ବୟସ୍କ, ମଧୁମେହ ରୋଗୀ ଓ ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସତର୍କ ରହିବାକୁ ବିଶେଷଜ୍ଞମାନେ କହୁଛନ୍ତି । ଏଭଳି ସ୍ଥିତିରେ ଜଣେ ଶିଶୁ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ସୂଚନା ଅନୁସାରେ ଗୁଜରାଟରେ ଏକ ୧୫ ବର୍ଷୀୟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଛି । ଏଭଳି ଶିଶୁଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ଅହମ୍ମଦାବାଦରେ ପ୍ରଥମ ଘଟଣା ବୋଲି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭିଷେକ ବଂସଲ୍ କହିଛନ୍ତି । ସମ୍ପୃକ୍ତ ନାବାଳକ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଏପ୍ରିଲ୍ ମାସରେ ଡାକ୍ତରଖାନାରୁ ବିଦା ହୋଇଥିଲେ । ତେବେ ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଦୁଇ-ତିନି ଦିନ ମଧ୍ୟରେ ତାକୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର ବଂସଲ୍ କହିଛନ୍ତି ।

ଅନ୍ୟପକ୍ଷରେ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ସମ୍ପୃକ୍ତ ନାବାଳକ କରୋନାରୁ ସୁସ୍ଥ ହେବାର ସପ୍ତାହକ ପରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ ଏକ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ କୋଭିଡ୍ ସଂକ୍ରମଣ ଭୟାବହତା ଥମିବାର ନାଁ ଧରୁନଥିବାବେଳେ ଆଉଏକ ଘାତକ ସଂକ୍ରମଣ ତଥା ରୋଗ ପାଇଁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ବଳ ଶରୀର ତଥା ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହି ବ୍ଲାକ୍ ଫଙ୍ଗସ୍ ଆକ୍ରମଣ ହେବାର ଅଧିକ ଆଶଙ୍କା ରହିଛି ବୋଲି କୁହାଯାଉଛି । ତେବେ କରୋନାରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେଲେ ମଧ୍ୟ ସାଧାରଣତଃ ସେ ଦୁର୍ବଳ ଥା’ନ୍ତି । ତେଣୁ ସେ କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

ସାଧାରଣତଃ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ କଲେ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିଥାଏ । ଏଥିସହ ନାକରୁ କଳାରକ୍ତ ବୋହିବା, କୌଣସି ବସ୍ତୁ ଦୁଇ ଦୁଇଟା ପ୍ରକାରେ ଦୃଶ୍ୟମାନ ହେବା ଏବଂ ଛାତି ଯନ୍ତ୍ରଣା ହେଉଥିବା ଭଳି ଲକ୍ଷଣ ଦେଖାଯାଉଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.