fbpx

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ସାରା ଦେଶରେ ଖୋଲିବ ୧୫୭ଟି ସରକାରୀ ନର୍ସିଂ କଲେଜ, ଓଡ଼ିଶାକୁ କେତୋଟି ମିଳିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ରର ବିକାଶ ନେଇ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ର ସରକାର ନିକଟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ୧୫୭ଟି ନୂଆ ସରକାରୀ ନର୍ସିଂ କଲେଜ ଖୋଲିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ କେନ୍ଦ୍ର ସରକାର ୧୫୭୦ କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସାରା ଦେଶରେ ୧୫୭ଟି ସରକାରୀ ନର୍ସିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିଛି । ତେବେ ପ୍ରତି କଲେଜରେ ୧୦୦ଟି ଲେଖାଏଁ ସିଟ୍ ରହିବ । ଫଳରେ ସାରା ଦେଶରେ ୧୫,୭୦୦ଟି ନର୍ସିଂ ସିଟ୍ ବୃଦ୍ଧି ପାଇବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଛନ୍ତି, ଦେଶରେ ୧,୦୬,୦୦୦ଟି ଏମବିବିଏସ ସିଟ ରହିଥିବା ବେଳେ ବିଏସସି ନର୍ସିଂର ୧,୧୮,୦୦୦ଟି ସିଟ୍ ରହିଛି । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ବିଏସସି ନର୍ସିଂର ଚାହିଦା ବୃଦ୍ଧି ପାଉଥିବାରୁ ବିଗତ କିଛି ବର୍ଷରେ ବିଏସସି ନର୍ସିଂ ପାଠର ଡିମାଣ୍ଡ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ନୂଆ ନର୍ସିଂ କଲେଜ ଖୋଲିବା ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ ହେବ । ଏଥିସହିତ ମେଡିକାଲ ଡିଭାଇସ ପଲିସୀକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଶ୍ରୀ ମାଣ୍ଡଭିୟ କହିଛନ୍ତି ।

Get real time updates directly on you device, subscribe now.