fbpx

ପୋଖରୀ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ପାଣିରେ ବୁଡ଼ି ୧୭ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ

ନୂଆଦିଲ୍ଲୀ: ଅଚାନକ ଦୁର୍ଘଟଣା ଘଟିବା ମଣିଷ ପାଇଁ ଏକ ଶନିଗ୍ରହ ସଦୃଶ ହୋଇଯାଇଥାଏ । ହସଖୁସିରେ ଯାତ୍ରା କରୁଥିବା ମଣିଷଟି ନିମିଷକ ମଧ୍ୟରେ ଅଘଟଣର ଶିକାର ହୋଇଥାଏ ଓ ପରିସ୍ଥିତି ବିଗିଡ଼ିଲେ ଶେଷ ନିଃଶ୍ୱାସ ମଧ୍ୟ ତ୍ୟାଗ କରିଦେଇଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବସ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୫ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ବାଂଲାଦେଶରେ ଘଟିଛି ଏପରି ଏକ ବଡ଼ ଦୁର୍ଘଟଣା । ଗୋଟିଏ ବସ୍ ନିୟନ୍ତ୍ରଣ ହରାଇ ଏକ ପୋଖରୀ ଭିତରକୁ ଖସି ପଡ଼ିଥିଲା । ଫଳରେ ବସରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀ ପୋଖରୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ଉଦ୍ଧାରକାରୀ ଟିମର ସଦସ୍ୟମାନେ ପାଣି ଭିତରୁ ସମସ୍ତଙ୍କର ଶବ ଉଦ୍ଧାର କରିଥିଲେ । ଏଥିସହିତ ୩୫ ଜଣ ଯାତ୍ରୀ ଆହତ ହେବା ସହିତ ସେମାନଙ୍କର ଚିକିତ୍ସା ଚାଲିଛି ।

ଝଲକାଠି ଜିଲ୍ଲା ଅନ୍ତର୍ଗତ ଛତ୍ରକାଣ୍ଡର ରାସ୍ତାକଡ଼ରେ ଥିବା ଏକ ପୋଖରୀ ଭିତରକୁ ବସଟି ଖସି ପଡ଼ିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଛୋଟପିଲା ଓ ୮ ଜଣ ମହିଳା ରହିଥିବା ଜଣାପଡ଼ିଛି । ବସରେ ୬୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ବସଟି ଦକ୍ଷିଣ-ପଶ୍ଚିମ ସମ୍ଭାଗୀୟ ମୁଖ୍ୟାଳୟ ବରିଶାଲ ଅଭିମୁଖେ ଯାଉଥିଲେ । ମାତ୍ର ଏହି ସମୟରେ ଡ୍ରାଇଭର ବସ୍ ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ଖସି ପଡ଼ିଥିଲା । ବର୍ଷା କାରଣରୁ ପୋଖରୀରେ ଅଧିକ ଜଳ ରହିଥିଲା, ତେଣୁ ଯାତ୍ରୀମାନେ ନିଜକୁ ରକ୍ଷା କରିପାରିନଥିଲେ ।

Get real time updates directly on you device, subscribe now.