(Video) ମା’ ଆଖି ସାମ୍ନାରେ ଜଳିଗଲା ବଢ଼ିଲା ଝିଅ, ପ୍ରେମିକ ପାଇଁ ଆତ୍ମାହୁତି ଦେଲେ ବଡ଼ମ୍ବାର ମନୀଷା

ପ୍ରେମ ଉଜାଡି ଦେଲା ସୁନା ସଂସାର । ମନୀଷା ସହିତ ଜଳିଗଲା ପରିବାରର ସବୁ ସ୍ୱପ୍ନ ।

ବଡ଼ମ୍ବା: ଅଧ୍ୟାପକଙ୍କଠାରୁ ନିର୍ଯାତିତ ହୋଇ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପରେ ଏବେ ପ୍ରେମ ପାଇଁ ନିଜ ଦେହରେ କିରୋସିନ ଢାଳି ଜଳିଯାଇଛନ୍ତି ଆଉଜଣେ ଯୁବତୀ ।

କଟକ ବଡ଼ମ୍ବା ଥାନା ଅଧିନସ୍ଥ ସାନବାରସିଂହର ମନିଷା ସ୍ୱାଇଁ ଦେହରେ କିରୋସିନ୍ ଢାଳି କରିଛନ୍ତି ଆତ୍ମହତ୍ୟା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ଦୁର୍ଯ୍ୟଧନ ସ୍ୱାଇଁ ଏବଂ ରିତରାଞ୍ଜଳୀ ସ୍ୱାଇଁଙ୍କ ଝିଅ ମନୀଷା ସ୍ୱାଇଁ । ବୟସ ୧୮ ବର୍ଷ । ଜନୈକ ଯୁବକଙ୍କ ସହ ମନୀଷାଙ୍କ ପ୍ରେମ ସମ୍ପର୍କ ଥିଲା । ଏହାକୁ ଘରେ ପ୍ରଥମେ ବିରୋଧ କରୁଥିଲେ, ହେଲେ ପୁଣି ରିତାଞ୍ଜଳୀ ଓ ଦୁର୍ଯ୍ୟଧନ ସମ୍ପର୍କକୁ ସମର୍ଥନ କଲେ ।

ଗତ ୧୭ ତାରିଖରେ ମନୀଷା ଘରେ ଏକୁଟିଆ ଥିବାବେଳେ ଦେହରେ କିରୋସିନ୍ ଢାଳି ନିଆଁ ଲଗେଇ ଦେଇଥିଲେ । ପାଖରେ ଥିବା ମା’ ଆଖି ସାମ୍ନାରେ ଝିଅ ମନୀଷା ହୁତୁହୁତୁ ହୋଇ ଜଳିଗଲା ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଡ଼ମ୍ବା ଡାକ୍ତରଖାନା ନେଇଯାଇଥିଲେ । ଯେଉଁଠାରୁ ଡାକ୍ତର ବଡ଼ ମେଡିକାଲକୁ ରେଫର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୀଷା ଆଖି ବୁଜି ଦେଇଥିଲେ ।

ନ୍ୟାୟ ଦାବିରେ ମୃତ୍ୟୁପରେ ଶବକୁ ୬୫ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ସେପଟେ ଝିଅ ଚାଲିଯିବା ପରେ ଘର ଲୋକଙ୍କ ଦୁଃଖ କହିଲେ ନ ସରେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝିାସୁଝା କରିବା ପରେ ଗ୍ରାମବାସୀ ପ୍ରତିବାଦରୁ ଓହରିଥିବା ଜଣାପଡ଼ିଛି ।