ପ୍ରକୃତିର ତାଣ୍ଡବ, ମିଆଁମାର ଭୂକମ୍ପ ପାଇଁ ଗଲାଣି ୧୮୮ ଜୀବନ
ସମୟ ଯେତିକି ଗଡୁଛି ମୃତ୍ୟୁ ସଂଖ୍ୟା ସେତିକି ବଢ଼ି ବଢ଼ି ଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୮୦୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ବ୍ୟାଙ୍କକ: ପ୍ରକୃତିର ତାଣ୍ଡବ ଆଗରେ କିଏ ବା କ’ଣ କରିପାରିବ। ଯେମିତି ଆଜିର ଭୟଙ୍କର ଭୂମିକମ୍ପ। ମିଆଁମାରଠୁ ଆରମ୍ଭ କରି ଥାଇଲାଣ୍ଡ ସବୁଠି ମୃତ୍ୟୁର ତାଣ୍ଡବ ରଚି ଦେଇଗଲା ପ୍ରକୃତି। କେଇ ମିନିଟର ଭୂକମ୍ପ ସବୁ କିଛି ଛାରଖାର କରିଦେଲା। ଆଉ ପରିବେଶ ଶାନ୍ତ ପଡିବା ବେଳକୁ ଚାରିଆଡେ ଶବ ବିଛେଇ ହୋଇ ପଡିଥିଲା।
ହଁ ଭୟଙ୍କର ଭୂକମ୍ପରେ ଉଭୟ ମିଆଁମାର ଏବଂ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶହେ ଟପିଛି ମୃତକଙ୍କ ସଂଖ୍ୟା। ତେବେ ବର୍ତ୍ତମାନ ସୁଦ୍ଧା ୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ, ୮୦୦ ଜଣ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଆଉ ମୃତକଙ୍କ ମଧ୍ୟରେ କେବଳ ୧୮୧ ଜଣ ମିଆଁମାରର ବୋଲି ସୂଚନା ମିଳିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। କାରଣ ଆଜିର ଏହି ଭୟଙ୍କର ଭୂକମ୍ପ କିଛି ସମୟ ପାଇଁ ମୃତ୍ୟୁର ତାଣ୍ଡବ ରଚିଥିଲା।
ବଡ ବଡ କୋଠା ଭୁଶୁଡି ପଡିଥିଲା। ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି।
ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୧୮୮ ହୋଇଥିବା ବେଳେ, ଏହା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଦୁଇ ଦୁଇଟି ବିରାଟ୍ ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ।
ପ୍ରକୃତି ରଚିଛି ତାଣ୍ଡବଲୀଳା। ଧ୍ୱଂସର ଏହି ଭୟଙ୍କର ଝଟକା ପରେ ମିଆଁମାରଠୁ ଥାଇଲାଣ୍ଡ ସବୁଠି ହାହାକାର, ସବୁଠି ଜୀବନ ପାଇଁ ସଂଘର୍ଷ ଏବଂ ସବୁଠି ଜୀବନ-ମୃତ୍ୟୁ ଭିତରେ ଟଣାଓଟରା। କେଉଁଠି ବଡ ବଡ କୋଠାରେ ଶହଶହ ଜୀବନ ନିଖୋଜ ତ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତଳେ ଚାପି ହୋଇ ରହି ଛଟପଟ ହେଉଛି ଜୀବନ।