ସଲମାନ ଖାନଙ୍କ ଘରେ ଦୁଇ ଦିନରେ ୨ଥର ଅନଧିକୃତ ପ୍ରବେଶ ଚେଷ୍ଟା ବିଫଳ, ୩୨ ବର୍ଷୀୟ ମହିଳା ଓ ୨୩ ବର୍ଷୀୟ ଯୁବକ ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଗାଲାକ୍ସୀ ଆପାର୍ଟମେଣ୍ଟରେ ଦୁଇ ଦିନ ମଧ୍ୟରେ ଦୁଇଜଣ ଅନଧିକୃତ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ଜଣ ହେଉଛନ୍ତି ଜଣେ ୩୨ ବର୍ଷୀୟ ମହିଳା ଈଶା ଛାବଡ଼ା ଏବଂ ଜଣେ ୨୩ ବର୍ଷୀୟ ଯୁବକ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମେ ୨୦ ତାରିଖ ରାତିରେ ଛତିଶଗଡ଼ରୁ ଆସିଥିବା ଜଣେ ୨୩ ବର୍ଷୀୟ ଯୁବକ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେ ନିଜକୁ ସଲମାନଙ୍କର ଜଣେ ପ୍ରଶଂସକ ବୋଲି କହିଥିଲେ। ତେବେ, ସୁରକ୍ଷାକର୍ମୀମାନେ ତାଙ୍କୁ ପ୍ରବେଶ ପୂର୍ବରୁ ଅଟକାଇ ବାନ୍ଦ୍ରା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲେ। ଏହାର ମାତ୍ର ଦୁଇ ଦିନ ପରେ, ଅର୍ଥାତ୍ ମେ ୨୨ ତାରିଖରେ, ୩୨ ବର୍ଷୀୟ ମହିଳା ଈଶା ଛାବଡ଼ା ଆପାର୍ଟମେଣ୍ଟର ଲିଫ୍ଟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ସେଠାରେ ଅଟକାଇ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ମୁମ୍ବାଇ ପୋଲିସ ଏହି ଦୁଇ ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଛି ଏବଂ ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ସଲମାନ ଖାନ ଦୀର୍ଘ ଦିନ ଧରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି। ଗତ ବର୍ଷ ତାଙ୍କ ଘର ବାହାରେ ଗୁଳିଚାଳନା ଘଟଣା ଘଟିଥିବାରୁ ତାଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏହି ଦୁଇ ଅନଧିକୃତ ପ୍ରବେଶ ଚେଷ୍ଟା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।