fbpx

ଜୁନ୍ ରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମିଳିବ ଆଣ୍ଟି-କୋଭିଡ୍ ମେଡିସିନ ୨ ଡିଜି: ଡ.ରେଡ୍ଡି ଲ୍ୟାବର ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଡ.ରେଡ୍ଡି ଲ୍ୟାବ ଘୋଷଣା କରିଛି ଯେ ଆଣ୍ଟି-କୋଭିଡ ମେଡିସିନ୍ ୨ ଡିଜିର ବ୍ୟବସାୟିକ ଶୁଭାରମ୍ଭ ଜୁନ୍ ମଧ୍ୟଭାଗରୁ ଆରମ୍ଭ ହେବ। ଲ୍ୟାବ ଅନୁଯାୟୀ, ସେତେବେଳକୁ ୨ ଡିଜି ଔଷଧର ପ୍ରକୃତ ଦାମ ମଧ୍ୟ ପ୍ରକାଶ ପାଇବ ଏବଂ ଏହି ଔଷଧ ଦେଶର ପ୍ରମୁଖ ସରକାରୀ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ହେବ। ସୂଚନାଯୋଗ୍ୟ ବର୍ତ୍ତମାନ ଏହି ଔଷଧ କେବଳ ଦିଲ୍ଲୀର ଏମ୍ସ ହସ୍ପିଟାଲ ଏବଂ ଡିଆଡିଓ ର କୋଭିଡ ହସ୍ପିଟାଲରେ ଉପଲବ୍ଧ  ।

ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡି ଲ୍ୟାବ ଏକ ଜାତୀୟ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଏକ ବିବୃତ୍ତି ରଖିଛି, ଜୁନ୍ ମଧ୍ୟଭାଗରୁ ଏହି ଔଷଧ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହା ବ୍ୟତୀତ କମ୍ପାନୀ ଅନୁଯାୟୀ ଔଷଧର ହାର ମଧ୍ୟ ସ୍ଥିର କରାଯାଇଛି ଯାହା ଦ୍ୱାରା ଏହା ଅଧିକରୁ ଅଧିକ ରୋଗୀଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ।

କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ ଯଦି ଡାକ୍ତରଖାନା, ଅନୁଷ୍ଠାନ କିମ୍ବା ଅନ୍ୟ କେହି ଔଷଧ ବିଷୟରେ  କୌଣସି ସୂଚନା ପାଇବା ଆବଶ୍ୟକ କରନ୍ତି, ତେବେ ସେମାନେ ଇମେଲ ([email protected]) ରେ କମ୍ପାନୀ ସହିତ ଯୋଗାଯୋଗ କରିପାରିବେ। ଲ୍ୟାବ ସ୍ପଷ୍ଟ ଭାବରେ କହିଛି ଯେ ହ୍ୱାଟସଆପ ଏବଂ ସୋସିଆଲ ମିଡିଆରେ  ବିଭ୍ରାନ୍ତିକର ପୋଷ୍ଟ ଏବଂ ବାର୍ତ୍ତା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ବାସ୍ତବରେ, ଏପରି କିଛି ପୋଷ୍ଟ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଯେଉଁ ରୋଗୀମାନେ ୨ ଡିଜି ଔଷଧ ଆବଶ୍ୟକ କରନ୍ତି, ସେମାନେ ଡାକ୍ତରଖାନାରୁ ଡ ରେଡ୍ଡି ଲ୍ୟାବର ଦୁଇଟି ଇମେଲରେ ଯୋଗାଯୋଗ କରନ୍ତୁ। ଭାଇରାଲ ପୋଷ୍ଟରେ ଦୁଇଟି ଇମେଲ ଆଇଡି ମଧ୍ୟ ଦିଆଯାଇଥିଲା। କିନ୍ତୁ କମ୍ପାନୀ ଏହାର ବିବୃତ୍ତିରେ ଏଭଳି ଇମେଲ ଏବଂ ପୋଷ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

ସୂଚନାଯୋଗ୍ୟ ୮ ମଇରେ ଦେଶର ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ଡିଆରଡିଓ ଆଣ୍ଟି-କୋଭିଡ ଔଷଧ ୨ଡିଜି ତିଆରି କରିଥିବାର ଦାବି କରିଥିଲା। ଦିଲ୍ଲୀର ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଆଲାଇଡ୍ ସାଇନ୍ସ ଲ୍ୟାବ୍ ରେଡ୍ଡି ଲ୍ୟାବ୍ ସହିତ ମିଶି ଏହି ୨-ଡ଼ିଜି ଔଷଧ ବିକଶିତ କରିଛି  । ଡିଆରଡିଓ ଅନୁଯାୟୀ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୨ଡିଜି ର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି  । ଏହା ପରେ, ମଇ ୧୭ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଔଷଧର ପ୍ରଥମ ବ୍ୟାଚ ସେନା ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ପାଇଁ ମଞ୍ଜୁର କରିଥିଲେ। ପ୍ରଥମ ବ୍ୟାଚରେ ପ୍ରାୟ ୧୦ ହଜାର ପ୍ୟାକେଟ ୨ ଡିଜି ରିଲିଜ କରିଥିଲେ । ଜୁନ୍ ମାସରୁ ପ୍ରତି ସପ୍ତାହରେ, କମ୍ପାନୀ ପ୍ରାୟ ଏକ ଲକ୍ଷ ପ୍ୟାକେଟ ଉତ୍ପାଦନ କରିବ  ।

ତେବେ କଂପାନୀର ଦାବି ରହିଛି  ଏହି ଔଷଧ ସେବନ  ଦ୍ୱାରା ରୋଗୀ ୪୦ ପ୍ରତିଶତ ପର୍ଯ୍ୟନ୍ତ କମ ଅକ୍ସିଜେନ ଦରକାର କରିଥାଏ ।

Get real time updates directly on you device, subscribe now.