ଭୁବନେଶ୍ବର: ଗଞ୍ଜାମରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଟ୍ରେନରୁ ଖସିପଡି 2 ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ବ୍ରହ୍ମପୁର ଉପକଣ୍ଠ ସୁର୍ଲାରୋଡ ରେଳ ଷ୍ଚେସନ ନିକଟ ଟ୍ରାକରୁ ମୃତଦେହ ଉଦ୍ଧାର କରାଯାଇଛି । 2 ମୃତକ ମହିଳା ଚିକିଟି ପିତାତଳି ଜଗନ୍ନାଥପୁର ଗ୍ରାମର ହୋଇଥିବା ସୂଚନା ରହିଛି । ଭୁବନେଶ୍ବରର ପାଚିକା ସଂଘ ରାଲିରେ ଯୋଗ ଦେବାପାଇଁ ଆସିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମୃତକମାନଙ୍କ ନାମ ପାର୍ବତୀ ଏବଂ ଝୁନୁ ଗୌଡ ।
ସୂଚନା ଅନୁସାରେ, ପାର୍ବତୀ ଏବଂ ଝୁନୁ ଗୌଡ ଦୁହେଁ ପାଚିକା ରହିଛନ୍ତି । ସେମାନେ ଭୁବନେଶ୍ବରର ରାଲିରେ ଯୋଗ ଦେବା ପାଇଁ ମେମୁ ଟ୍ରେନରେ ଯିବା ପାଇଁ ସ୍ଥିର କରିଥିଲେ । ଭୁବନେଶ୍ବର ଯିବା ପାଇଁ ସେମାନେ ସୁର୍ଲା ଷ୍ଟେସନରେ ଅପେକ୍ଷା କରିଥିଲେ । ଟ୍ରେନର ରହଣୀ କମ୍ ସମୟ ରହିଥିବାରୁ ସେମାନେ ତରବରିଆ ଭାବେ ଟ୍ରେନକୁ ଚଢିଥିଲେ । ଏହି ସମୟରେ ଜଣଙ୍କର ଗୋଡ ଖସିଯାଇଥିଲା । ଉକ୍ତ ମହିଳାଙ୍କୁ ବଞ୍ଚାଇବା ପାଇଁ ଯାଇ ଅନ୍ୟ ଜଣ ମଧ୍ୟ ଫସିଯାଇଥିଲେ । ଏହାପରେ ସେମାନଙ୍କ ଉପରେ ଟ୍ରେନଟି ମାଡିଯାଇଥିଲା । ତେବେ ଏହାପରେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ଉଭୟ ମହିଳାଙ୍କର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।