ନୂଆଦିଲ୍ଲୀ: ସମଗ୍ର ଦେଶରେ ଚାଲିଥିବା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୪-୨୦୨୫ ରୁ କେବଳ ଚାରି ବର୍ଷର ସ୍ପେଶାଲ ବି.ଏଡ କୋର୍ସ ମାନ୍ୟତା ପାଇବ । ଭାରତୀୟ ପୁନର୍ବାସ ପରିଷଦ (ଆରସିଆଇ) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ତେବେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ସ୍ୱତନ୍ତ୍ର ବି.ଏଡ ପାଠ୍ୟକ୍ରମକୁ କେବଳ ଆରସିଆଇ ସ୍ୱୀକୃତି ଦେଇଥାଏ । ଆରସିଆଇ ଏହାର ସର୍କୁଲାରରେ ଭଲ ଭାବରେ ଏହା ସ୍ପଷ୍ଟ କରିଛି । ସମଗ୍ର ଦେଶରେ ପ୍ରାୟ ୧୦୦୦ ଏପରି ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟ ଅଛି, ଯେଉଁଠାରେ ଏହି କୋର୍ସ ଦିଆଯାଉଛି ।
ଆରସିଆଇ ସଚିବ ଦେଇଛନ୍ତି ସୂଚନା :-
ଭାରତର ପୁନର୍ବାସ ପରିଷଦ ସଚିବ ବିକାଶ ତ୍ରିବେଦୀଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ, ନୂଆ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇପି) ରେ ୪ ବର୍ଷିଆ ବି.ଏଡ କୋର୍ସ ପାଇଁ ଏକ ବ୍ୟବସ୍ଥା କରିଛି । ଏହାକୁ ଦୃଷ୍ଟିରେ ରଖି ଆରସିଆଇ କେବଳ ଚାରି ବର୍ଷର ବି.ଏଡ କୋର୍ସ ଚଳାଇବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଅଧିବେଶନରୁ, କେବଳ ଚାରି ବର୍ଷର ବି.ଏଡ (ସ୍ୱତନ୍ତ୍ର ଶିକ୍ଷା) ପାଠ୍ୟକ୍ରମ ଆରସିଆଇ ଦ୍ୱାରା ମାନ୍ୟତା ମିଳିବ ।
ସ୍ପେଶାଲ ବି.ଏଡ କୋର୍ସ କ’ଣ?
ସ୍ପେଶଶଲ ବି.ଏଡ କୋର୍ସରେ ଶିକ୍ଷକମାନଙ୍କୁ ଅକ୍ଷମ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ତାଲିମ ଦିଆଯାଏ । ଭିନ୍ନକ୍ଷମ ପିଲାମାନଙ୍କର ବିଶେଷ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଏ । ଏଥିରେ ଶ୍ରବଣ, ବକ୍ତବ୍ୟ, ଦୃଷ୍ଟି ଶକ୍ତି, ମାନସିକ ଅକ୍ଷମତା ଇତ୍ୟାଦି ଭିନ୍ନକ୍ଷମଙ୍କ ପାଇଁ ସିଲାବସ୍ କରାଯାଏ । ଆରସିଆଇ କହିଛି ଯେ ଯେକୌଣସି ଅନୁଷ୍ଠାନ ଯେଉଁମାନେ ଚାରି ବର୍ଷର ଇଣ୍ଟିଗ୍ରେଟେଡ ବି.ଏଡ ସ୍ପେଶାଲ ଏଜୁକେସନ୍ କୋର୍ସ କରିବାକୁ ଚାହୁଁଛନ୍ତି, ସେମାନେ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ପାଇଁ ଆବେଦନ କରିପାରିବେ ।