୨୦ ବର୍ଷ ପୁରୁଣା Game Plan… ଭାରତ ଏବେ ବି ଜିତିପାରିବ ପ୍ରଥମ ଟେଷ୍ଟ: ଶେଷ ଦିନରେ ସୃଷ୍ଟି ହେବ କି ଇତିହାସ?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଂକଟରେ ପଡ଼ିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭାରତ ପାଇଁ ପରାଜୟର ବଡ଼ ଆଶଙ୍କା । ଶେଷ ଦିନ ଖେଳ ବାକି ଥିବା ବେଳେ ନ୍ୟୁଜିଲାଣ୍ଡକୁ ମାତ୍ର ୧୦୭ ରନ୍ ଆବଶ୍ୟକତା ରହିଛି । ତେବେ ଭାରତକୁ ବିଜୟୀ ହେବା ପାଇଁ ନ୍ୟୁଜିଲାଣ୍ଡର ୧୦ଟି ଯାକ ୱିକେଟ ହାସଲ କରିବାକୁ ହେବ । ତେବେ ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡ ବିଜୟର ନିକଟରେ ରହିଛି ବୋଲି କୁହାଯାଇପାରେ । କିନ୍ତୁ ଏବେ ବି ଭାରତ ଏହି ମ୍ୟାଚରେ ବିଜୟୀ ହୋଇପାରିବ । ଏଥିପାଇଁ ଅଧିନାୟକ ରୋହିତଙ୍କୁ ଆପଣେଇବାକୁ ହେବ ୨୦ ବର୍ଷ ପୁରୁଣା ଗେମ୍ ପ୍ଲାନ ।

ଦ୍ୱିତୀୟ ଇନିଂସ ବ୍ୟାଟିଂ ପରେ ନ୍ୟୁଜିଲାଣ୍ଡକୁ ୧୦୭ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ତେବେ ଏଭଳି ସ୍ଥିତିରେ ଭାରତର ବିଜୟ ସାମାନ୍ୟ କଷ୍ଟକର ମନେ ହେଉଛି । କିନ୍ତୁ ରୋହିତ ବର୍ତ୍ତମାନ ସୁଦ୍ଧା ମ୍ୟାଚକୁ ନିଜ ହାତମୁଠାରେ କରିପାରିବେ । ତେବେ ଏଥିପାଇଁ ରୋହିତଙ୍କୁ କ୍ରିକେଟ ଇତିହାସର ପୁରୁଣା ପୃଷ୍ଠାକୁ ଖୋଲିବାକୁ ହେବ । ପୂର୍ବରୁ ଏଭଳି ସ୍ଥିତିରେ ଭାରତ ବିଜୟୀ ହୋଇସାରିଛି । ୨୦୦୪ ମସିହା ଅଷ୍ଟ୍ରେଲିଆ ବିପକ୍ଷରେ ୧୦୭ ରନକୁ ଡିଫେଣ୍ଡ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ୱାନଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୧୦୭ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଅଷ୍ଟ୍ରେଲିଆକୁ ଏହାପୂର୍ବରୁ ଆଉଟ କରି ଇତିହାସ ସୃଷ୍ଟି କରିଥିଲା ଭାରତ । ତେବେ ବର୍ତ୍ତମାନ ୨୦ ବର୍ଷ ପୁରୁଣା ଏହି ଗେମ୍ ପ୍ଲାନ ରୋହିତଙ୍କ ପାଇଁ ବେଶ୍ ସହାୟକ ହୋଇପାରେ ।

ଏହି ମ୍ୟାଚରେ ଅଧିନାୟକ ରାହୁଲ ଦ୍ରାବିଡ ଅଷ୍ଟ୍ରେଲିଆକୁ ୯୩ ରନରେ ଅଲ ଆଉଟ କରି ୧୩ ରନରେ ବିଜୟ ହାସଲ କରିଥିଲା । ଏହି ବିଜୟ ପାଇଁ ମୁରଲୀ କାର୍ତ୍ତିକ, ଅନିଲ କୁମ୍ବଲେ ଏବଂ ହରଭଜନ ସିଂହ ପ୍ରମୁଖ ଭୂମିକା ତୁଲାଇଥିଲେ । ସ୍ପିନ ବୋଲିଂ ଯାଦୁରେ ଭାରତ ଏହି ଛୋଟ ଟାର୍ଗେଟକୁ ମଧ୍ୟ ଡିଫେଣ୍ଡ କରିପାରିଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ମଧ୍ୟ ୧୦୭ ରନର ଲକ୍ଷ୍ୟ ରହିଥିବା ବେଳେ ଭାରତ ପାଖରେ ୩ ଜଣ ସ୍ପିନ୍ ବୋଲର ସାମିଲ ରହିଛନ୍ତି । ଶେଷ ଦିନରେ ଭାରତ ପାଇଁ ସର୍ବଶ୍ରେଷ୍ଠ ଅସ୍ତ୍ର ସାଜିପାରନ୍ତି ଦଳର ଷ୍ଟାର ସ୍ପିନର । ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା ଏବଂ କୁଳଦୀପ ଯାଦବଙ୍କୁ ହତିଆର କରି ରୋହିତ ଏହି ମ୍ୟାଚରେ ମଧ୍ୟ ବିଜୟ ହାସଲ କରିପାରିବେ । ତେବେ ଆସନ୍ତାକାଲି ରୋହିତ କେଉଁ ଗେମ୍ ପ୍ଲାନ ସହ ମଇଦାନକୁ ଓହ୍ଲାଇବେ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.