fbpx

ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି । କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଯାହାକୁ ନେଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଅସୁର ବଧ ନୀତି ଗତକାଲି ଅନୁଷ୍ଠିତ ହୋଇଥିଲା । ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ ମହାପ୍ରଭୁ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ ।

ଏହାପରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ । ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ । ଏଭଳି ନୀତିକାନ୍ତିକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାଯାଇଛି ।

ସୂଚନା ଥାଉକି, ଏହି ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ । ଫେଣିଆ ମସ୍ତକ ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ । ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ଓ ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି ।

ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ - ଆଜିକାଲି

Get real time updates directly on you device, subscribe now.