fbpx

(Video) ଗରବା ଖେଳୁ ଖେଳୁ ୨୧ ବର୍ଷୀୟ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍: ଠପ୍ କରି ଚାଲିଗଲା ଜୀବନ

Advertisement

ଅହମ୍ମଦାବାଦ: ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକଙ୍କର ଜୀବନର ଚାଲିଯାଉଛି । ଏହାରି ମଧ୍ୟରେ ଗୁଜରାଟର ଆଣନ୍ଦ ଜିଲ୍ଲାରେ ଗରବା ଖେଳୁ ଖେଳୁ ୨୧ ବର୍ଷୀୟ ଜଣେ ଯୁବକଙ୍କୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଖୁସିର ମାହୋଲରେ ବିରେନ୍ଦ୍ର ସିଂହ ନାମକ ସେହି ଯୁବକ ଗରବା ଖେଳୁଥିଲେ । କିନ୍ତୁ ଅଚାନକ୍ ହାର୍ଟ ଆଟାକ୍ ଆସିବାରୁ ସେ ତଳେ ପଡ଼ିଯାଇଥିଲେ । ବିରେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ସୂଚନା ମୁତାବକ, ଏହି ଘଟଣା ଆଣନ୍ଦର ତାରାପୁରର ଶିବଶକ୍ତି ସୋସିଆଇଟିରେ ଘଟିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ତାରାପୁରର ଶିବଶକ୍ତି ସୋସିଇଟିରେ ନବରାତ୍ରୀ ଅବସରରେ ୯ ଦିନ ପର୍ଯ୍ୟନ୍ତ ଗରବା ଆୟୋଜିତ କରାଯାଏ । ୩୦ ସେପ୍ଟେମ୍ବରରେ ୨୧ ବର୍ଷୀୟ ବିରେନ୍ଦ୍ର ସିଂହ ରାଜପୁତ ଗରବା ଖେଳୁଥିଲେ । ଏହି ସମୟରେ ତାଙ୍କ ସାଙ୍ଗମାନେ ତାଙ୍କର ଭିଡିଓ କରୁଥିଲେ । କିନ୍ତୁ ଅଚାନକ୍ ବିରେନ୍ଦ୍ର ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସୋସିଇଟିର ଲୋକେ ମେଡିକାଲ ନେଇ ଯାଇଥିଲେ । କିନ୍ତୁ ଅଧାବାଟରେ ହିଁ ବିରେନ୍ଦ୍ର ପ୍ରାଣ ହରାଇଥିଲେ । ହାର୍ଟ ଆସିବାରୁ ବିରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ଭିଡିଓରେ ଦେଖିବାକେୁ ମିଳିଛି କି, ଗରବା ଖେଳ ଆରମ୍ଭରୁ ବିରେନ୍ଦ୍ର ଟିକେ ବିଚଳିତ ହୋଇଥିଲେ । କିନ୍ତୁ ଗରବା ଖେଳର ଆଗ୍ରହୀ ଥିବା ବିରେନ୍ଦ୍ର ଖେଳରେ ମାତିଯାଇଥିଲେ । ଶେଷରେ ଗରବା ଖେଳୁ ଖେଳୁ ସେ ତଳେ ମୁହଁ ମାଡି ପଡ଼ିଯାଇଥିବା ଦେଖିବାକୁ ମିଳିଛି । ସେହିପରି ନିକଟରେ ଜମ୍ମୁ ଜିଲ୍ଲାର ବିଶ୍ରହରେ ଜାଗରଣ ମଞ୍ଚରେ ଡ୍ୟାନ୍ସ କରୁଥିବା ବେଳେ ୧୯ ବର୍ଷୀୟ ଯୋଗେଶଙ୍କର ମୃତ୍ୟୁ ହୋଇଥିଲା । ଯୋଗେଶ ମଞ୍ଚ ଉପରେ ମା’ ପାର୍ବତୀ ଓ ସତୀଙ୍କ ଭୂମିକାରେ ଅଭିନୟ କରୁଥିଲେ । ଅନେକ ସମୟ ଡ୍ୟାନ୍ସ କରିବା ପରେ ସେ ପଡିଯାଇଥିଲେ । ମେଡିକାଲକୁ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.