fbpx

ରଥଯାତ୍ରା ପାଇଁ ନୋ ଟେନସନ: ପୁରୀକୁ ଗଡ଼ିବ ୨୧୦ ସ୍ୱତନ୍ତ୍ର ଟ୍ରେନ୍, ସମନ୍ୱୟ ବୈଠକରେ ନିଷ୍ପତ୍ତି

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରୁ ପୁରୀ ପ୍ରଶାସନ ଚଳଚଞ୍ଚଳ ରହିଛି । ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ଶନିବାର ଦିନ ବସିଥିଲା ଦ୍ୱିତୀୟ ସମନ୍ୱୟ ବୈଠକ । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଏଥିରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା, ସ୍ୱାସ୍ଥ୍ୟ, ରଥ ନିର୍ମାଣ ଭଳି ୨୧ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକରେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ୟ୍ୟ ଶେଷ କରାଯିବାକୁ ଗୁରୁତ୍ୱ ଦିଆଯାଇଛି ।

ରଥ ନିର୍ମାଣ ପାଇଁ ତଦାରଖ କମିଟି ଗଠନ ହୋଇଛି । ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୩୪୧ ଖଣ୍ଡ ଓ ଖପୁରିଆ କରତ କଳକୁ ୩୩୨ ଖଣ୍ଡ କାଠ ଆସିଛି । ଏପରିକି ପୁରୀରେ ୨ ମାସ ପାଇଁ ଅସ୍ଥାୟୀ ସ ମିଲ୍ କରିବା ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିରର ଚାରିଦ୍ୱାରରେ ଭକ୍ତ ପ୍ରବେଶ ନେଇ ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

ରଥଯାତ୍ରା ସମୟରେ ୨୯ ଆଶୁ ଚିକିତ୍ସା କେନ୍ଦ୍ର, ୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ, ୨ଟି ଖାଦ୍ୟ ନିରୀକ୍ଷକ ଟିମ୍ ରହିବେ । ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ, ରଥ କର୍ଡନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ସହ ସମନ୍ୱିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ୟ୍ୟ କରିବ ବୋଲି କହିଥିଲେ ଅତିରିକ୍ତ ଡିଜି ।

ଏହା ସହିତ ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମ ପାଇଁ ପୁରୀକୁ ୨୧୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଗୁଜରାଟର ଅହମଦାବାଦରୁ ୩୦୦୦ ମିଟର ରଥ କନା ଆସିଛି । ୨୦୦ କେଜି ଝୁଣା ମହଜୁଦ୍ ଅଛି । ତାମିଲନାଡୁରୁ ୩୦୦ କେଜି ଚନ୍ଦନ କାଠ ଆସିବାକୁ ଥିବାବେଳେ ୧୪ ଟି ରଥ ଟଣା ଓ ୯ ଟି ଇନର ଓ ଆଉଟର କର୍ଡନ ଦଉଡ଼ି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.