ଭୁବନେଶ୍ବର: ଖୁବ୍ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି। ଖଣି ନିଲାମ ବାବଦରେ ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ, ଖଣି ନିଲାମ ଦ୍ୱାରା ରାଜସ୍ୱ ବଢିବ।
ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି । ଏହାସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ଅଧିକ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ । ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।
କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା । ଖଣି ଖାଦାନରେ ଭରପୂର କୋଟିଆ । ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ।