ପୋଖରୀ ପାଣି ହୋଇଗଲା ବିଷାକ୍ତ: ପ୍ରଥମେ ମଣିଷର ମୃତ୍ୟୁ ଘଟିଲା, ତା’ପରେ ପାଣି ପିଇବା ପରେ ୨୫ଟି ଓଟଙ୍କର ଜୀବନ ଚାଲିଗଲା
ନୂଆଦିଲ୍ଲୀ: ଅନେକ ସମୟରେ ଅପରିଷ୍କାର, ଖରାପ ଖାଦ୍ୟ ସେବନ କରିବା ଫଳରେ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଅନୁରୂପ ଘଟଣା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପୋଖରୀ ପାଣି ପିଇବା ପରେ ଅଚାନକ ୨୫ଟି ଓଟଙ୍କ ଜୀବନ ଚାଲି ଯାଇଛି । ଅଶୋଧିତ ତୈଳ ପାଇପଲାଇନରୁ ନିର୍ଗତ ପାଣି ବିଷାକ୍ତ ହୋଇଯାଇ ଥିବାରୁ ଏହି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।
ସୂଚନା ମୁତାବକ, ଗୁଜରାଟର ଭରୁଚ ଜିଲ୍ଲାରେ ପାଣି ପିଇବା ପରେ ପରେ ଅଚାନକ ୨୫ଟି ଓଟ ମୃତ୍ୟୁବରଣ କରିଛନ୍ତି । ଝୁଣ୍ଡ ଗ୍ରାମ ବାହାରେ ଥିବା ଏକ ପୋଖରୀରେ ଓଟମାନେ ପାଣି ପିଇଥିଲେ । କୁହାଯାଉଛି, ଅଶୋଧିତ ତୈଳ ପାଇପଲାଇନ ଲିକେଜ କାରଣରୁ ପୋଖରୀ ପାଣି ବିଷାକ୍ତ ହୋଇଯାଇଥିଲା । ଫଳରେ ଓଟମାନେ ଉକ୍ତ ବିଷାକ୍ତ କେମିକାଲ ପାଣିକୁ ସେବନ କରିବା ଫଳରେ ସେମାନଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବା ସହିତ ଜୀବନ ଚାଲିଯାଇଥିଲା ।
ତେବେ ଜଣାପଡ଼ିଛି, ଘଟଣାଟି ବାଗରାର କଚ୍ଚୀପୁର ଗ୍ରାମରେ ଘଟିଛି । ଉକ୍ତ ଗ୍ରାମରେ ୨୫୦ ଜଣ ଲୋକ ବସବାସ କରୁଥିବା ବେଳେ ସେଠାରେ ଅଧିକାଂଶ ଲୋକ ପଶୁପାଳନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଉକ୍ତ ଗ୍ରାମରେ ପାଣିର ସମସ୍ୟା ରହିଥିବା ବେଳେ ଯେଉଁ ପାଣି ମିଳୁଛି ତାହା ଦୂଷିତ ହୋଇଯାଇଛି । ଦୂଷିତ ପାଣି କାରଣରୁ ଅଧିକାଂଶ ସମୟରେ ଲୋକମାନେ ବୀମାରଗ୍ରସ୍ତ ହେବା ସହିତ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ପ୍ରବଳ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଓଟଗୁଡ଼ିକ ୫ କିମି ଦୂର ଏକ ହ୍ରଦକୁ ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ଓଟ ମୃତ୍ୟୁବରଣ କରିଥିଲେ ।