୨୭ ଦିନ, ୫୮ ମୃତ୍ୟୁ: ସହଜ ନୁହେଁ ଚାରି ଧାମ ଯାତ୍ରା, କେଦାରନାଥରେ ହୃଦଘାତରେ ଅଧିକ ମୃତ

ନୂଆଦିଲ୍ଲୀ: ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଚାରିଦାମ ଯାତ୍ରା ଚଳିତବର୍ଷ କଷ୍ଟକର ହୋଇପଡିଛି । ବାରମ୍ବାର ପାଣିପାଗ ବଦଳିବା କାରଣରୁ ଶ୍ରଦ୍ଧାଳୁଙ୍କ ସହ ପ୍ରଶାସନ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛି । ତେବେ ଆଜି ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଥିବା କୁହାଯାଇଛି । ରିପୋର୍ଟ ଅନୁସାରେ, ଏସବୁ ମୃତ୍ୟୁ କାର୍ଡିୟକ ଆରେଷ୍ଟ କିମ୍ବା କ୍ରେନିକ ପଲମୋନରୀ ଡିଜିଜ ଯୋଗୁଁ ଘଟୁଛି । ୨୭ ଦିନ ଭିତରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ହିମାଳୟରେ ୧୦ ହଜାର ଫୁଟ ଉଚ୍ଚତାରେ ଚାରିଧାମର ପୂଜାର୍ଚ୍ଚନା କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁଯାୟୀ, ପ୍ରାୟ ୨,୪୦୦ ଲୋକଙ୍କୁ ଅସୁସ୍ଥତା ଯୋଗୁଁ ଅଧିକାରୀମାନେ ଯାତ୍ରାକୁ ଯିବା ପୂର୍ବରୁ ଚେତାବନୀ ଦିଆଯାଇଥିଲା । ତେବେ ଯାତ୍ରାରେ ଯିବା ପୂର୍ବରୁ ସେମାନେ ଏକ କାଗଜରେ ଦସ୍ତଖତ ମଧ୍ୟ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ତୀର୍ଥ ଯାତ୍ରା ସମୟରେ କୌଣସି ଅଘଟଣ ଘଟିଲେ ଏଥିପାଇଁ ସେ ନିଜେ ହିଁ ଦାୟୀ ରହିବେ । ଏହାସହିତ ଫୁସଫୁସ ଜନିତ ସମସ୍ୟାରେ ପୀଡିତ ୭,୦୦୦ ବ୍ୟକ୍ତିଙ୍କୁ ଅକ୍ସିଜେନ ସିଲିଣ୍ଡର ସାଥିରେ ନେଇ ଯିବା ପାଇଁ ଦିଆଯାଇଥିଲା । ତେବେ ଏହି ଚାରିଧାମ ଯାତ୍ରାର ୨୭ ଦିନ ମଧ୍ୟରେ ୫୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରୁ ସବୁଠାରୁ ଅଧିକ କେଦାରନାଥରେ ଅଧିକ ମୃତ୍ୟୁ ହୋଇଥିବା ବେଳେ ପ୍ରାୟତଃ କାର୍ଡିୟକ ଆରେଷ୍ଟ ଯୋଗୁଁ ହୋଇଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ମଧ୍ୟ ପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଅଞ୍ଚଳର ବୋଲି ଜାଣିବାକୁୁ ମିଳିଛି ।

ତେବେ ମୃତ୍ୟୁସଂଖ୍ୟାକୁ ଦୃ୍ଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ରାଜ୍ୟ ସରକାର । ତୀର୍ଥଯାତ୍ରାରେ ଆସୁଥିବା ଭକ୍ତମାନଙ୍କୁ ଦୈନିକ ୫-୧୦ ମିନିଟ ବ୍ରିଦିଙ୍ଗ ଏକ୍ସରସାଇଜ କରିବା ପାଇଁ କୁହାଯାଇଛି । ଏହାବ୍ୟତୀତ ପ୍ରତି ଦିନ ୨୦-୩୦ ମିନିଟ ଚାଲିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି ହୃଦରୋଗ, ଆସ୍ଥମା, ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗୀ ଯାତ୍ରା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ।