JEE Main ପରୀକ୍ଷା ୨୦୨୫: ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ, ପରୀକ୍ଷା ପ୍ୟାଟର୍ଣ୍ଣ ସହ ବଦଳିଲା ୩ଟି ବଡ଼ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଥମ ପର୍ଯ୍ୟାର ଜେଇଇ ମୁଖ୍ୟ ପରୀକ୍ଷା ୨୦୨୫ର ଆୟୋଜନ ଜାନୁଆରୀ ୨୨ରୁ ଆରମ୍ଭ ହୋଇ ୩୧ରେ ସମାପ୍ତ ହେବ । ଅକ୍ଟୋବର ୨୮ରୁ https://jeemain.nta.nic.in/ ରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଫେବୃଆରୀ ୧୨ରେ ପ୍ରଥମ ସେସନ ଜେଇଇ ମେନ ପରୀକ୍ଷାର ଫଳାଫଳ ଜାରି କରାଯିବ । ପ୍ରଥମ ସେସନର ଜେଇଇ ମେନ ପରୀକ୍ଷା ପାଇଁ ନଭେମ୍ବର ୨୨ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆବେଦନ ଚାଲିବ । ଏହିଦିନ ରାତି ୧୧.୫୦ ସୁଦ୍ଧା ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଦାଖଲ କରିପାରିବେ । ସେହିପରି ଦ୍ୱିତୀୟ ସେସନ ଜେଇଇ ମେନ ପରୀକ୍ଷା ଏପ୍ରିଲରୁ ୧ରୁ ୮ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୧୭ରେ ରେଜଲ୍ଟ ପ୍ରକାଶ ପାଇବ । ଏଥିପାଇଁ ଜାନୁଆରୀ ୩୧ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଆବେଦନ ଚାଲିବ ।

ତେବେ ଏଥର ଜେଇଇ ମେନ ପରୀକ୍ଷା ୨୦୨୫ରେ କ’ଣ ସବୁ ପରିବର୍ତ୍ତନ ହେବ ସେନେଇ ପରୀକ୍ଷାର୍ଥୀମାନେ ଧ୍ୟାନ ଦେବା ଆବଶ୍ୟକ । ଆଗାମୀ ସେସନର ଜେଇଇ ମୁଖ୍ୟ ପରୀକ୍ଷା ୨୦୨୫ରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ହ୍ରାସ ପାଇ ୨୮୪ ହୋଇଯାଇଛି । ସହର ସଂଖ୍ୟା ୩୦୦ରୁ ହ୍ରାସ କରାଯାଇ ୨୮୪ କରାଯାଇଛି । ଗତବର୍ଷ ଓଡ଼ିଶାରେ ୨୩ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଏଥର ୧୭ଟି କରାଯାଇଛି । ସେହିପରି ଏଥର ଇଣ୍ଟରନ୍ୟାସନାଲ ସେଣ୍ଟର ସଂଖ୍ୟା କମିଯାଇଛି । ଭାରତ ବାହାରେ ଏଥର ୨୪ ବଦଳରେ ୧୪ଟି ପରୀକ୍ଷା କେନ୍ଦ୍ର ହେବ ।

ସେହିପରି ଏଥର ସମାନ ସ୍କୋର ଥିବା ପ୍ରାର୍ଥୀଙ୍କୁ ରାଙ୍କ ଦେବା ସମୟରେ ସେମାନଙ୍କର ବୟସ ଓ ଜେଇଇ ମୁଖ୍ୟ ଆବେଦନ ସଂଖ୍ୟା ଉପରେ ବିଚାର କରାଯିବ ନାହିଁ । ଏହା ବଦଳରେ ରାଙ୍କିଂ କେବଳ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉପରେ ଆଧାରିତ ହେବ । ଯଦି ପ୍ରାର୍ଥୀଙ୍କ ମାର୍କ ସମାନ ରହିଥିବ, ତେବେ ମାଥରେ ଅଧିକ ମାର୍କ ରଖିଥିବା ପ୍ରାର୍ଥୀ ମେରିଟରେ ଉପରେ ରାଙ୍କ ପାଇବେ । ଏଥର ଜେଇଇ ମେନ ପେପର ସେକ୍ସନ-ବି’ରେ ଅପ୍ସନାଲ ପ୍ରଶ୍ନକୁ ହଟାଇ ଦିଆଯାଇଛି । ୧୦ ବଦଳରେ ଏଥର କେବଳ ୫ଟି ପ୍ରଶ୍ନ ଆସିବ ଓ ପ୍ରାର୍ଥୀଙ୍କୁ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।