fbpx

ବାଦଲଫଟା ବର୍ଷାରେ ନେପାଳରେ ଜଳ ପ୍ରଳୟ, ୩ ଭାରତୀୟ ସମେତ ୨୩ ନିଖୋଜ

କାଠମାଣ୍ଡୁ : ନେପାଳରେ ଭୀଷଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି। ବାଦଲଫଟା ବର୍ଷା କାରଣରୁ ଜଳପ୍ରଳୟ ଆସିଛି। ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟ ନେପାଳରେ ପ୍ରବଳ ବର୍ଷା କାରଣରୁ ସମଗ୍ର ଅଞ୍ଚଳ ବନ୍ୟା ଘେରରେ ରହିଛି। ଅନେକ ଲୋକ ପାଣିରେ ଭାସିଯାଇଥିବା ଅନୁମାନ କରାଯାଉଛି। ବର୍ଷା ଜାରି ରହିଥିବାରୁ ସ୍ଥିତି ସଙ୍ଗୀନ ରହିଛି।

ସୂଚନା ଅନୁଯାୟୀ, ତିନି ଭାରତୀୟ ସମେତ ୨୩ ଜଣ ନିଖୋଜ ଅଛନ୍ତି। ଏଥିରେ ଚୀନ ନାଗରିକ ମଧ୍ୟ ସାମିଲ ଅଛନ୍ତି। ମଧ୍ୟ ନେପାଳରେ ଗତ ଚାରି ଦିନ ହେବ ଭୀଷଣ ବର୍ଷା ଜାରି ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ରହିଛି। ଗୁରୁବାର ସକାଳ ସେଠାକାର ସିନ୍ଧୁପାଲ ଛକରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ଆସିଥିବା ଜଳ ପ୍ରଳୟରେ ୨୬ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

ମେଲଚପି ନଦୀ କୂଳରେ ସ୍ଥିତ ପ୍ରାୟ ୩୦୦ ଚାଳଛପର ଘର  ବନ୍ୟା ପାଣିରେ ଭାସି ଯାଇଛି। ସେହି ପରି ଲାମଜୁଙ୍ଗ ଜିଲ୍ଲାରେ ମଧ୍ୟ ଅନେକ ଘର ଭୁଶୁଡି ପଡିଛି। ଏପରିକି ତଳୁଆ ଅଞ୍ଚଳରେ ୨୦୦ ଘର ବିପଦରେ ଥିବା ଅଧିକାରୀ କହିଛନ୍ତି। ନେପାଳ ସେନା ଓ ସଶସ୍ତ୍ର ପୋଲିସ ବଳ ପକ୍ଷରୁ ଯୁଦ୍ଧକାଳୀନସ୍ତରରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Get real time updates directly on you device, subscribe now.