ଅଲ-କାଏଦା ସମର୍ଥିତ ଆତଙ୍କୀ ଗୋଷ୍ଠୀ ଆକ୍ରମଣରେ ୩ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଦେଶ ମାଲିରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ଘଟଣା ପ୍ରତି ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଅପହରଣ ଘଟଣା ଜୁଲାଇ ୧ ତାରିଖରେ ମାଲିର କାୟେସ୍‌ ଅଞ୍ଚଳରେ ଥିବା ଡାଏମଣ୍ଡ ସିମେଂଟ ଫ୍ୟାକ୍ଟ୍ରିରେ ଘଟିଛି। ଏକ ସଶସ୍ତ୍ର ଦଳ ଫ୍ୟାକ୍ଟ୍ରି ପରିସରରେ ଆକ୍ରମଣ କରି ତିନି ଭାରତୀୟ କର୍ମଚାରୀଙ୍କୁ ବନ୍ଦୀ କରି ନେଇଥିବା ଜଣାପଡ଼ିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏହି ଘଟଣାକୁ “ନିନ୍ଦନୀୟ” ବୋଲି ଅଭିହିତ କରି ମାଲି ସରକାରଙ୍କୁ ଅପହୃତ ଭାରତୀୟମାନଙ୍କର ସୁରକ୍ଷିତ ଓ ଶୀଘ୍ର ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ମନ୍ତ୍ରଣାଳୟ କହିଛି ଯେ ବାମାକୋରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ଆଇନଶୃଙ୍ଖଳା ରକ୍ଷାକାରୀ ଅଧିକାରୀ ଏବଂ ଡାଏମଣ୍ଡ ସିମେଂଟ ଫ୍ୟାକ୍ଟ୍ରିର ପରିଚାଳନା ସହିତ ନିରନ୍ତର ଯୋଗାଯୋଗରେ ରହିଛି। ଏହା ସହିତ ଅପହୃତଙ୍କ ପରିବାର ସଦସ୍ୟମାନଙ୍କ ସହ ମଧ୍ୟ ଦୂତାବାସ ଯୋଗାଯୋଗ ରକ୍ଷା କରିଛି।

ଏପର୍ଯ୍ୟନ୍ତ ଏହି ଅପହରଣର ଦାୟିତ୍ୱ କୌଣସି ସଂଗଠନ ଗ୍ରହଣ କରିନାହିଁ। ତେବେ ମଙ୍ଗଳବାର ମାଲିରେ ହୋଇଥିବା ଅନ୍ୟାନ୍ୟ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ଆଲ-କାଏଦା ସହ ଜଡ଼ିତ ଜାମାତ ନୁସ୍ରତ ଆଲ-ଇସଲାମ ୱାଲ-ମୁସଲିମିନ (JNIM) ନାମକ ସଂଗଠନ ନେଇଛି।

ବୈଦେଶିକ ମନ୍ତ୍ରଣାଳୟ ମାଲିରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ, ସୁରକ୍ଷା ପାଇଁ ସଜାଗ ରହିବାକୁ ଏବଂ ବାମାକୋସ୍ଥିତ ଭାରତୀୟ ଦୂତାବାସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ଅପହୃତ ଭାରତୀୟମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି।

ବରିଷ୍ଠ ଅଧିକାରୀମାନେ ଏହି ସ୍ଥିତିର ନିରୀକ୍ଷଣ କରୁଛନ୍ତି ଏବଂ ଭାରତୀୟ ନାଗରିକଙ୍କର ଶୀଘ୍ର ଓ ସୁରକ୍ଷିତ ମୁକ୍ତି ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ ଜାରି ରଖିଛନ୍ତି।