ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନରେ ୩ ବିଧାୟକଙ୍କୁ ମିଳିଛି ରାଜ୍ୟ କ୍ୟାବିନେଟର ପାହ୍ୟା । ନୂଆ ଦାୟିତ୍ୱ ଦେଇ ଶପଥ ଗ୍ରହଣ ୩ ମନ୍ତ୍ରୀଙ୍କୁ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖଙ୍କ ସମେତ ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ ଏହି ୩ଟି ପାହ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସାର ଯୋଗ୍ୟ ପାଲଟିଛନ୍ତି । ତେବେ ଏହି ପରିବର୍ତ୍ତନ ପରେ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳଙ୍କ ଉପସ୍ଥିତିରେ ୩ ଜଣ ବିଧାୟକ ନୂଆ ପରିଚୟ ପାଇଛନ୍ତି । ଏଥିରେ ୩ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ଶପଥପାଠ ପରେ ମଧ୍ୟ କେଉଁ ମନ୍ତ୍ରୀଙ୍କୁ କେଉଁ ଦାୟିତ୍ୱ ପ୍ରଦାନ କରାଯିବ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେଣୁ ଏବେ ବି କ୍ୟାବିନେଟର ପାହ୍ୟାକୁ ନେଇ ସସପେନ୍ସ ଲାଗି ରହିଛି । ତେବେ ଖୁବଶୀଘ୍ର ଏହାର ଘୋଷଣା କରିପାରନ୍ତି ନବୀନ ସରକାର ।
ବିଜେଡିରୁ ପ୍ରଥମେ ଟିକେଟ ପାଇ ସାରଦା ପ୍ରସାଦ ନାୟକ ୨୦୦୪ ମସିହାରେ ବିଧାୟକ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ମଧ୍ୟ ସେ ରାଉରକେଲାରୁ ବିଜୟୀ ହୋଇଥିଲେ । ତେବେ ଏହା ମଧ୍ୟରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଜଣେ ମନ୍ତ୍ରୀ ଭାବରେ ସେ ମନ୍ତ୍ରୀମଣ୍ଡଳରେ ନଗର ଉନ୍ନୟନ ଏବଂ ଯୋଗାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ । ସେହିପରି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଏବଂ ବିଜେଡି ସଂଗଠକ ଭାବରେ ନିଜର ପରିଚୟ ଗଢିଛନ୍ତି । ବିଜେଡି ସରକାରରେ ତାଙ୍କ ହାତରେ ଏକାଧିକ ଦାୟିତ୍ୱ ରହିଥିଲା । ସେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ରହିଥିଲେ । ୧୯୯୫ ମସିହାରୁ ଲଗାତାର ୬ ଥର ସେ ଭଞ୍ଜନଗରରୁ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।
ସୂଚନା ଅନୁସାରେ, ଗତ ୧୨ ତାରିଖରେ ପ୍ରଥମେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବାଚସ୍ପତି ବିକ୍ରମ ଆରୁଖ । ଏହାପରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ନିଜ ପଦରୁ ଓହରି ଯାଇଥିଲେ । ତେବେ ଏକାସାଙ୍ଗରେ ୩ ଜଣ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଏହି ସ୍ଥାନରେ ଖାଲି ପଡିଥିଲା । ତେଣୁ ଦଳର ପ୍ରମିଳା ମଲ୍ଲିକଙ୍କୁ କିଛି ଦିନ ପାଇଁ ଶିକ୍ଷାମନ୍ତ୍ରୀ ତଥା ଶ୍ରମମନ୍ତ୍ରୀର ଦାୟିତ୍ୱ ଦେଇଥିଲେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରମିଳା ମଲ୍ଲିକ ଶିକ୍ଷାମନ୍ତ୍ରୀ ଭାବରେ ରାଜ୍ୟର ମାଟ୍ରିକ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିବା ସହ ଫଳାଫଳ ଘୋଷଣା କରିଥିଲେ ।