fbpx

ସକାଳୁ ସକାଳୁ ବାରବାଙ୍କିରେ ଭୁଶୁଡ଼ି ପଡିଲା ୩ ମହଲା କୋଠା: ପୋତି ହୋଇ ୨ ମୃତ, NDRF ଓ SDRF ଦ୍ଵାରା ଚାଲିଛି ରେସ୍କ୍ୟୁ ଅପରେସନ

Advertisement

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସେଠାରେ ଥିବା ଏକ ତିନି ମହଲା କୋଠା ହଠାତ୍ ଭୁଶୁଡି ପଡିଛି । ଏହି କାରଣରୁ ପ୍ରାୟ ୧୫ ଜଣ ଲୋକ ଘରର ଭଗ୍ନାଶେଷ ତଳେ ପୋତି ହୋଇଥିଲେ । ଏବେ ବି ୪ଜଣ ଭଗ୍ନାଶେଷ ତଳେ ଚାପି ହୋଇ ଅଛନ୍ତି । ପୋଲିସ-ପ୍ରଶାସନକୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସମସ୍ତ ବରିଷ୍ଠ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । NDRF ଓ SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସିଏଚସି ଏବଂ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ମହିଳା ରୋଶନି ବାନୋ ଏବଂ ଜଣେ ପୁରୁଷ ହାକିମୁଦ୍ଦିନଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୮ ଜଣ ଗୁରୁତର ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲଖନଉ ଟ୍ରାମା କେନ୍ଦ୍ରକୁ ପଠାଯାଇଛି । ଅବଶିଷ୍ଟ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ତେବେ କୋଠା ଭୁଶୁଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ, ଯେତେବେଳେ ଏହି ଘର ଭୁଶୁଡ଼ି ପଡ଼ିଲା ସେତେବେଳେ ସହରର ସମସ୍ତ ଲୋକ ଶୋଇଥିଲେ । ଲୋକମାନେ କହିଥିଲେ ଯେ, ପ୍ରଚଣ୍ଡ ଶବ୍ଦ ଏବଂ କମ୍ପନ ଯୋଗୁଁ ସେମାନେ ଉଠିପଡ଼ିଥିଲେ । ସେମାନେ ଦେଖିଥିଲେ ଯେ, ପାଖରେ ଥିବା ତିନି ମହଲା ବିଶିଷ୍ଟ ଘରଟି ଭୁଶୁଡି ପଡିଥିଲା । ଏହି ଦୃଶ୍ୟ ଦେଖି ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ୧୧୨ ଡାଏଲ କରି ପୋଲିସକୁ ସୂଚନା ଦେଇଥିଲେ । କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଉଦ୍ଧାର ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫ ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହି କୋଠାଟି କିଛି ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ଏହି କୋଠାଟି ପୁରୁଣା ହୋଇନଥିଲା ।

Get real time updates directly on you device, subscribe now.