fbpx

ପୁଲୱାମା ଆକ୍ରମଣକୁ ପୁରିଲା ୩ ବର୍ଷ, ସେହି ଦିନର ଦୃଶ୍ୟ ଆଖି ଆଗକୁ ଆସିଲେ ଆଜିବି ଥରି ଉଠେ ଛାତି

ହାଇଦ୍ରାବାଦ: ନୂଆ ଆଶା ଓ ଉଦ୍ଦୀପନା ନେଇ ଉଇଁଥିଲା ସକାଳର ସୂର୍ୟ୍ୟ । ହେଲେ ଏହି ସକାଳର ସୂର୍ଯ୍ୟ ସହିତ ଆରମ୍ଭ ହୋଇଥିବା ନୂତନ ଦିବସର ମାହୋଲକୁ ଶୋକରେ ପରିଣତ କରିଦେବ ବୋଲି କିଏ ଜାଣିଥିଲା । ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମସ୍ତଙ୍କ ସ୍ପନ୍ଦନ । ଦୋହଲିଗଲା ଦେଶ । ଯେତେବେଳେ ଖବର ବାଜି ଉଠିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି ।

ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଯାଇଥିଲେ ୪୦ ଜଣ ଭାରତୀୟ ଯବାନ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୩ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ ।

୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଜମ୍ମୁ-କାଶ୍ମୀରରୁ ଆସିଥିଲା ଦେଶକୁ ମର୍ମାହତ କରିଦେବା ଭଳି ଏକ ଦୁଃଖଦ ଖବର । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌ରେ କରିଥିଲେ ଭୟଙ୍କର ବିସ୍ଫୋରଣ ।

୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶର ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଏହି କାର୍ୟ୍ୟାନୁଷ୍ଠାନରେ ଜୈଶର ସମସ୍ତ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପୁଲୱାମା ଆକ୍ରମଣର ୩ ବର୍ଷ ଅବସରରେ ସିଆରପିଏଫ ଶହୀଦଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ସେମାନଙ୍କ ନିଷ୍ଠା, ସେବା ଓ ବଳିଦାନ ଆଗରେ ଦେଶ ସର୍ବଦା ନତମସ୍ତକ ହୋଇ ରହିବ । ସେମାନଙ୍କୁ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ ।

Get real time updates directly on you device, subscribe now.