ପିଏମ୍ ଜନମନ ଯୋଜନାର ସୁଫଳ ପାଇବେ ୩,୧୪,୫୧୪ ଲୋକ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୫: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପିଏମ୍ ଜନମନ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକରୁଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ନିର୍ଦ୍ଦେଶ ଦେଇ କହିଥିଲେ।

ସୂଚନାଯୋଗ୍ୟ, ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ୧୪ଟି ଜିଲ୍ଲାର ୫୫ଟି ବ୍ଲକ, ୧୭୫୧ଟି ଗ୍ରାମ/ ଜନ ବସତି, ୨୮୯ଟି ପଞ୍ଚାୟତ ଏବଂ ୨ଟି ପୌର ପ୍ରଶାସିତ ଅଂଚଳ ଅନ୍ତର୍ଭୁକ୍ତ ଥିବା ବେଳେ ସମୁଦାୟ ୬୮,୬୦୫ଟି ପରିବାରର ୩,୧୪,୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ।

ବୈଠକରୁ ଜଣାଯାଇଛି ଯେ, ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫,୪୦୮ଟି ଘର , ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପ୍ରାୟ ୨୧୦ କିଲୋମିଟରର ପକ୍କା ସଡକ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ, ୩୫୧ଟି ଅଞ୍ଚଳରେ ମୋବାଇଲ ଟାୱାର ସଂଯୋଗୀକରଣ, ୪୦୫ଟି ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।୧୪ଟି ଜିଲ୍ଲାର ଯେଉଁ ଜନ ବସତିର(Habitation) ୫ କିଲୋମିଟର ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେହିପରି ସମସ୍ତ ଅଂଚଳରେ ମୋବାଇଲ ମେଡିକାଲ ୟୁନିଟର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହିପରି ସମସ୍ତ ୧,୦୫୫ଟି ଜନ ବସତିକୁ ମୋବାଇଲ ମେଡିକାଲ ୟୁନିଟ ଯୋଗାଇ ଦିଆଯାଇଛି ଏବଂ ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ ହୋଇଛି ବୋଲି ବୈଠକରୁ ଜଣାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ବିଶେଷତଃ ପିଭିଟିଜି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିମନ୍ତେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ମୋବାଇଲ କନେକ୍ସନ, ଆଦି କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯୋଗାଯୋଗ ହୋଇପାରୁନଥିବା କିମ୍ବା ଦୁର୍ଗମ ଅଞ୍ଚଳଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସଚିବ ମାନେ ପରିଦର୍ଶନରେ ଯାଇ ସେଠାକାର କାମ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ।