fbpx

ବିହାରରେ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ, ନୀତିଶଙ୍କ ବଡ ଘୋଷଣା

ପାଟନା: ବିହାରରେ ଯୁବତୀଙ୍କ ଉଚ୍ଚ ଶିକ୍ଷାକୁ ନେଇ ନୀତିଶ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ୩୮ ସରକାରୀ ଇଞ୍ଜିନିୟରିଂ କଲେଜ୍‌ ରହିଛି। ଏଥିରେ ମୋଟ୍ ୯୨୭୫ ସିଟ୍ ରହିଛି। ଅନ୍ୟପଟେ ୧୦ ସରକାରୀ ମେଡିକାଲ କଲେଜ୍‌ରେ ୧୧୨୫ ସିଟ୍ ରହିଛି।

ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାମ୍ନାରେ ଭିଡିଓ କନଫରେନ୍ସିଂ ଜରିଆରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍‌ ସ୍ଥାପନ ସଂପର୍କିତ ବିଧେୟକ ଉପରେ ତଥ୍ୟ ଉପସ୍ଥାପନ କରାଯାଇଛି।  ନୀତିଶ କୁମାର କହିଛନ୍ତି, ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗ ଆଣିବ। ଏଥିରେ ଛାତ୍ରୀମାନେ ଉଚ୍ଚ ଶିକ୍ଷା ଏବଂ ପ୍ରଦୌଗିକି ଶିକ୍ଷା ପ୍ରତି ଅଧିକ ଉତ୍ସାହିତ ହେବେ। ରାଜ୍ୟର ପ୍ରତି ଜିଲ୍ଲାରେ ଇଞ୍ଜିନିୟରିଂ କଲେଜ୍ ଏବଂ ଅନେକ ମେଡିକାଲ କଲେଜ୍ ସ୍ଥାପନ କରାଯିବ। ଆମର ଉଦ୍ଦେଶ୍ୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ପାଇଁ ବିହାରର ଛାତ୍ର-ଛାତ୍ରୀଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ନୀତିଶ କୁମାର କହିଛନ୍ତି। ମହିଳା ସଶକ୍ତିକରଣ ଦିଗରେ ବିହାର ରାଜ୍ୟ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପରେ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜ୍‌ରେ ଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ।  ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ ସଂପର୍କିତ ବିଧେୟକ ବିଧାନସଭାରେ ଉପସ୍ଥାପନ କରାଯିବ। ବିଧାନସଭାରେ ପାରିତ ହେବା ପରେ ଏହାକୁ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ପଠାଯିବ। ଏହା ପରେ ରାଜ୍ୟରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଶିକ୍ଷାକୁ ନେଇ ନୂତନ ବିଶ୍ଵ ବିଦ୍ୟାଳୟ ଆକ୍ଟ ଲାଗୁ କରାଯିବ।

Get real time updates directly on you device, subscribe now.