fbpx

USA ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ୪ଟି ବଡ଼ ସମସ୍ୟା: ସମାଧାନର ବାଟ ଖୋଜୁଛନ୍ତି ରୋହିତ

Advertisement

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପରେ ଆଜି ଭାରତ-ଆମେରିକା ମୁହାଁମୁହିଁ ହେଉଛନ୍ତି । ଆୟରଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲେ ମଧ୍ୟ ଏବେ ବି ଟିମ ଇଣ୍ଡିଆ ପାଇଁ ୪ଟି କାରଣ ଦଳକୁ ସମସ୍ୟାରେ ପକାଇପାରେ । ତେଣୁ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଏହି ୪ଟି ସମସ୍ୟାର ସମାଧାନ କରିବା ପାଇଁ ବାଟ ଖୋଜୁଛନ୍ତି । ନଚେତ୍ ଆଗକୁ ଏହି ସମସ୍ୟା ଭାରତକୁ ସୁପର-୮ରେ ପହଞ୍ଚାଇବା ବାଟରେ ମଧ୍ୟ ବାଧା ହୋଇପାରେ । ତେଣୁ ଆମେରିକା ବିପକ୍ଷ ମ୍ୟାଚରେ ରୋହିତ ଏହି ସମସ୍ୟାରୁ ମୁକୁଳିବା ପାଇଁ ସମାଧାନର ବାଟ ବାହାର କରିପାରନ୍ତି ।

୧- ବିରାଟଙ୍କ ଫର୍ମ ଏବଂ ବ୍ୟାଟିଂ ଅର୍ଡର: ଆଇପିଏଲରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପକ୍ଷରୁ ଓପନିଙ୍ଗ କରି ବିସ୍ଫୋରକ ବ୍ୟାଟିଂ କରିବା ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋର କରିଥିଲେ ବିରାଟ କୋହଲି । କିନ୍ତୁ ଟି-୨୦ ବିଶ୍ୱକପରେ ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିନାହିଁ । ତେଣୁ ରୋହିତଙ୍କ ପାଇଁ ଏବେ ବିରାଟଙ୍କୁ ନେଇ ଏକ ବଡ଼ ଚିନ୍ତା ପାଲଟିଛନ୍ତି । ତେଣୁ ଏବେ ରୋହିତଙ୍କୁ ବିରାଟଙ୍କ ବ୍ୟାଟିଂ ଅର୍ଡରକୁ ନେଇ କିଛି ନୂଆ ରଣନୀତି ପ୍ରସ୍ତୁତ କରିପାରନ୍ତି ।

୨- ଶିବମ୍ ଦୁବେ: ଆଇପିଏଲ-୨୦୨୪ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେଙ୍କ ଫର୍ମ ମଧ୍ୟ ରୋହିତଙ୍କୁ ଚିନ୍ତାରେ ପକାଇଛି । ଆଇପିଏଲରେ ବଡ଼ ବଡ଼ ଛକା ମାରୁଥିବା ଶିବମ ଟି-୨୦ ବିଶ୍ୱକପର ୨ଟି ମ୍ୟାଚରୁ ମାତ୍ର ୩ ରନ୍ କରିଛନ୍ତି । ତେଣୁ ରୋହିତ ତାଙ୍କୁ ଦଳରୁ ମଧ୍ୟ ବାଦ୍ ଦେଇପାରନ୍ତି ବୋଲି କୁହାଯାଉଛି । ଶିବମ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ରୋହିତ ପ୍ଲେଇଙ୍ଗ-୧୧ରେ ସ୍ଥାନ ଦେଇପାରନ୍ତି ।

୩- ସୂର୍ଯ୍ୟକୁମାର ଯାଦବ: ଟି-୨୦ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟର୍ ଭାବରେ ଶୀର୍ଷ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । କିନ୍ତୁ ଟି-୨୦ ବିଶ୍ୱକପରେ ଭାରତର ୨ଟି ମ୍ୟାଚ ସରିଥିବା ବେଳେ ଉଭୟ ମ୍ୟାଚରୁ ସୂର୍ଯ୍ୟକୁମାରଙ୍କ ଖାତାରେ ମାତ୍ର ୯ ରନ୍ ରହିଛି । ଟିମ ଇଣ୍ଡିଆର ସବୁଠାରୁ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଏବେ ଫେଲ ମାରିଛନ୍ତି । ତେବେ ରୋହିତ ତାଙ୍କୁ ଦଳରୁ ବାଦ୍ ନ ଦେଇ ଲଗାତାର ସୁଯୋଗ ଦେବେ ବୋଲି ଆଶା କରାଯାଉଛି ।

୪- ରବିନ୍ଦ୍ର ଜାଡେଜା: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆର ମ୍ୟାଚ ୱିନର । ଅନେକ ସମୟରେ ଦଳ ପାଇଁ ସେ ସଂକଟ ମୋଚକ ସାଜିଛନ୍ତି । କିନ୍ତୁ ଟି-୨୦ ବିଶ୍ୱକପରେ ମୋଟ ୧୦ଟି ମ୍ୟାଚ ଖେଳିଥିବା ବେଳେ ୧୦୦ରୁ କମ୍ ଷ୍ଟ୍ରାଇକ ରେଟରେ ମାତ୍ର ୯୫ ରନ୍ କରିପାରିଛନ୍ତି । ତେବେ ବୋଲିଂରେ ୨୧ଟି ୱିକେଟ ହାସଲ କରିଥିଲେ ମଧ୍ୟ ନ୍ୟୁୟର୍କ ପିଚ ସ୍ପିନ ବୋଲିଂ ପାଇଁ ବେଶ୍ ସହାୟକ ହୋଇ ନଥାଏ । ତେଣୁ ରୋହିତଙ୍କ ସୁପର-୮ ଏବଂ ନକ୍ ଆଉଟ ମ୍ୟାଚ ପୂର୍ବରୁ ଏସବୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ ।

Get real time updates directly on you device, subscribe now.