ଉତ୍ତରପ୍ରଦେଶ: ଛାତ୍ରୀଙ୍କ ଘରେ ପଶି ବଳାତ୍କାର! ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗାଜିଆବାଦରେ। ଏଠାରେ ଚାରି ଜଣ ନାବାଳକ ପୁଅ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ପଶି ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ପୁଅ ପୀଡିତାଙ୍କ ସ୍କୁଲରେ ପଢ଼ନ୍ତି। ଯେତେବେଳେ ଏହି ବଳାତ୍କାର ଘଟଣା ଘଟିଥିଲା, ସେତେବେଳେ ଛାତ୍ରୀ ଜଣକ ଘରେ ଏକା ଥିଲେ ଏବଂ ତାଙ୍କ ମାଆ ବଜାରକୁ ଯାଇଥିଲେ।
ପୋଲିସ କହିବା ଅନୁସାରେ, “ନାବାଳିକା ଝିଅଟି ‘ଇନଷ୍ଟାଗ୍ରାମ’ରେ ଜଣେ ପୁଅ ସହିତ ସମ୍ପର୍କରେ ଥିଲା, ଯିଏ ଝିଅଟିକୁ ଭେଟିବା ପାଇଁ ମେସେଜ୍ ପଠାଉଥିଲା। ରବିବାର ଦିନ, ସେ ପ୍ରାୟ ସାଢ଼େ ୧୧ଟା ସମୟରେ ଝିଅଟିର ଘରେ ପହଞ୍ଚି କବାଟ ବାଡ଼େଇଲା।
ଝିଅଟି କବାଟ ଖୋଲିବା ମାତ୍ରେ ପୁଅଟି ତା’ର ତିନି ବନ୍ଧୁଙ୍କ ସହିତ ଜୋରଜବରଦସ୍ତ ଘରେ ପଶି ତାକୁ ବଳାତ୍କାର କରିଥିଲେ। ଠିକ ସେତିକିବେଳେ ଛାତ୍ରୀଙ୍କ ମାଆ ବଜାରରୁ ଫେରି ଘରର ଦ୍ୱାର ଖୋଲା ଥିବା ଦେଖିଥିଲେ। ଯେତେବେଳେ ସେ ଘର ଭିତରକୁ ଗଲେ, ସେ ତାଙ୍କ ଝିଅ ସହିତ ଚାରିଜଣ ପୁଅଙ୍କୁ ଦେଖିଲେ।
ମାଆ ତାଙ୍କ ଝିଅକୁ ବାହାରକୁ ନେଇ ଏହି ପୁଅମାନଙ୍କୁ କୋଠରୀରେ ବନ୍ଦ କରିଦେଇଥିଲେ ଏବଂ ପୋଲିସକୁ ଡାକିଥିଲେ। କିନ୍ତୁ ପୋଲିସ ଆସିବା ପୂର୍ବରୁ ଗାଁର କିଛି ଲୋକ ଝିଅଟିର ଘରେ ପହଞ୍ଚି ଆପୋଷ ବୁଝାବଣା କରି ସେହି ପୁଅମାନଙ୍କୁ ଛାଡି ଦେଇଥିଲେ।
ତା ପରେ ଛାତ୍ରୀଙ୍କ ବାପା ୪ ଜଣ ପୁଅଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଅଭିଯୁକ୍ତ ନାବାଳକମାନଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଧରାଯାଇ ନାହିଁ। ତଥ୍ୟ ଏବଂ ସୂଚନା ପାଇବା ପାଇଁ ମାମଲାର ତଦନ୍ତ କରାଯାଉଛି।