୪ ଯୁବକଙ୍କ ଅଜବ ବୁଦ୍ଧି! ଇନସ୍ୟୁରାନ୍ସ କ୍ଲେମ୍ ପାଇବା ଲୋଭରେ ନକଲି ଭାଲୁ ସାଜି ନିଜ ଗାଡ଼ି ଉପରେ କଲେ ଆକ୍ରମଣ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜକୁ ସବୁଠାରୁ ବେଶି ବୁଦ୍ଧିଆ ଭାବି ଅର୍ଥ ପାଇବା ପାଇଁ କିଛି ଅଜବ ତରିକା ଆପଣାଇଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗାଡ଼ିର ଇନସ୍ୟୁରାନ୍ସ ପାଇବା ଲୋଭରେ ୪ ଯୁବକ ଯେଉଁ କାରନାମା କରିଛନ୍ତି, ତାହା ସବୁ ସୀମା ଟପି ଯାଇଛି । ସେଥିମାନେ ସେମାନେ ନକଲି ଭାଲୁ ଦ୍ୱାରା ନିଜ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ମାତ୍ର ପରିତାପର ବିଷୟ ଏହା ଯେ, ଶେଷରେ ସେମାନଙ୍କର ଏହି ତରିକା ଫସର ଫାଟି ଯାଇଥିଲା । ପରେ ଧରାପଡ଼ି ସେମାନେ ଜେଲ ଯାଇଥିଲେ ।

ଖବର ମୁତାବକ, କାଲିଫଣ୍ଣିଆରୁ ଆସିଛି ଏଭଳି ଏକ ଖବର । ନିଜ ଗାଡ଼ି ଉପରେ ଭାଲୁ ଆକ୍ରମଣର ନାଟକ କରିବା ଓ ବୀମା କ୍ଲେବ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଇନସ୍ୟୁରାନ୍ସ କ୍ଲେମ ପାଇଁ ଦାଖଲ କରାଯାଇଥିବା ଭିଡିଓକୁ ଦେଖିବା ପରେ କମ୍ପାନୀର ସନ୍ଦେହ ହୋଇଥିଲା । ଏହାପରେ କମ୍ପାନୀ ପକ୍ଷରୁ ଭଲ ଭାବେ ଛାନଭିନ୍ କରାଯାଇଥିଲା । କାଲିଫର୍ଣ୍ଣିଆର ଅଧିକାରୀମାନେ ଏହି ବୀମା ଠକାମି ଷଡ଼ଯନ୍ତ୍ରକୁ ‘ଅପରେସନ ବିୟର କ୍ଲ’ ନାମ ଦେଇଥିଲେ ।

ଗତ ଜାନୁଆରୀ ମାସରୁ ଏହା ଆରମ୍ଭ ହୋଇଥିଲା । ୨୦୧୦ର ରୋଲ୍ସ ରୟସ ଉପରେ ଏକ ଭାଲୁ ଆକ୍ରମଣ କରିଥିବା ନେଇ ୪ ଯୁବକ ଦାବି କରିଥିଲେ । ଲେକ ଏରୋହେଡ ପାର୍କରେ ଏହା ଘଟିଥିବା କୁହାଯାଇଥିଲା । ଭାଲୁ ଆକ୍ରମଣରେ ସେମାନଙ୍କର ଗାଡ଼ିର ଅନେକ କ୍ଷତି ଘଟିଥିବା କୁହାଯାଇଥିଲା । ଭିଡିଓ ଫୁଟେଜକୁ ଭଲ ଭାବେ ନିରୀକ୍ଷଣ କରିବା ପରେ କିଛି ଗଡ଼ବଡ଼ ଥିବା ଜଣାପଡ଼ିଥିଲା । ତେବେ ଯାଞ୍ଚ ସମୟରେ ଭିଡିଓରେ ଭାଲୁ ନଥିବା ସ୍ପଷ୍ଟ ହୋଇଥିଲା । ଭାଲୁ ବେଶରେ ମଣିଷ ଗାଡ଼ି ଉପରେ ଏହି ଆକ୍ରମଣ କରିଥିବା ଜଣାପଡ଼ିଥିଲା । ଏହି ମାମଲାରେ ୪ ଯୁବକଙ୍କୁ ଗିରଫ କରାଯାଇଥିଲା । ଏହି ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ୧.୨୦ କୋଟି ଠକେଇ ମାମଲାରେ ଦଣ୍ଡ ଭୋଗିବେ ।