fbpx
BJD SKY
BJD SKY

ଆରମ୍ଭ ହେଲା ଚେସ୍ ଅଲିମ୍ପିୟାଡ୍, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାଗ ନେଲାନି ପାକିସ୍ତାନ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେସ୍ ଅଲିମ୍ପିୟାଡ୍ ର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଆଜିଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ ନେଉନାହାଁନ୍ତି । ଏମିତିରେ ଭାରତ ଓପନ ଏବଂ ମହିଳା ବର୍ଗରେ ତିନି–ତିନି ଟିମ୍ ସହ ଓହ୍ଲାଇବ । ସେପଟେ ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଦିଗ୍ଗଜ ଖେଳାଳୀ ବିଶ୍ୱନାଥନ ଆନନ୍ଦ ଏଥର ଅଲିମ୍ପିୟାଡ୍ ଖେଳୁନାହାଁନ୍ତି ।

ସୂଚନାଯୋଗ୍ୟ, ୪୪ତମ ଚେସ୍ ଅଲିମ୍ପିୟାଡ୍ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏହି ଅଲିମ୍ପିୟାଡ ପ୍ରଥମ ଥର ଭାରତରେ ଅନୁଷ୍ଠିତ ହେଉଛି । ତାମିଲନାଡୁ ରାଜ୍ୟପାଳ ଆରଏନ ରବି, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଜବାହାର ଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଉପସ୍ଥିତ ରହିଛନ୍ତି । ଓପନ ବର୍ଗରେ ୧୮୮ ଏବଂ ମହିଳା ବର୍ଗରେ ୧୬୨ ଖେଳାଳି ଓହ୍ଲାଇବେ । ଏହାର ମଶାଲ ଗତ ୪୦ ଦିନରେ ୭୫ ସହର ବୁଲି ପହଞ୍ଚିଛି ।

ସେପଟେ ପାକିସ୍ତାନୀ ଖେଳାଳି ହଠାତ୍ ଚେସ୍ ଅଲିମ୍ପିୟାଡରେ ଭାଗ ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ୪୪ ତମ ଚେସ୍ ଅଲିମ୍ପିୟାଡ୍ ରୁ ନିଜ ନାଁ ଫେରାଇନେଇଛି । ଚେସ୍ ଅଲିମ୍ପିୟାଡ୍ ର ମଶାଲ କଶ୍ମୀର ଦେଇ ଯାଇଥିଲା, ଏହାକୁ ନେଇ ପାକିସ୍ତାନ ଏହି ଇଭେଣ୍ଟରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଭାରତ ଖେଳ ପ୍ରତିଯୋଗୀତାକୁ ନେଇ ରାଜନୀତି କରୁଛି । ସେ କହିଛନ୍ତି ପାକିସ୍ତାନକୁ ଚେସ୍ ଅଲିମ୍ପିୟାଡରେ ଭାଗ ନେବା ପାଇଁ ଅନ୍ତରାଷ୍ଟ୍ରୀୟ ଚେସ୍ ମହାସଂଘ ଦ୍ୱାରା ଆମନ୍ତ୍ରିତ କରାଯାଇଥିଲା । ଏହି ଆୟୋଜନ ପାଇଁ ପାକିସ୍ତାନୀ ଦଳ ଟ୍ରେନିଂ ମଧ୍ୟ ନେଉଥିଲେ ।

ଚେସ୍ ଅଲିମ୍ପିୟାଡ୍ ରୁ ପାକିସ୍ତାନ ହଟିବା ନିଷ୍ପତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ଭାରତୀୟ ବିଦେଶ ମନ୍ତ୍ରାଳୟ ଗୁରୁବାର କହିଛି ଯେ ଆଶ୍ଚର୍ଯ୍ୟ ଯେ ପାକିସ୍ତାନ ହଠାତ୍ ଚେସ୍ ଅଲିମ୍ପିୟାଡରେ ଖେଳିବାକୁ ମନା କରିଦେଇଛି, ଯେତେବେଳେକି ପାକିସ୍ତାନ ଖେଳାଳିମାନେ ଭାରତରେ ପହଞ୍ଚିସାରିଥିଲେ । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ନେଇ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ପାକିସ୍ତାନ ଖେଳରେ ଭାଗ ନନେଇ ଏବଂ କିଛି ବୟାନ ଦେଇ ଏହାକୁ ରାଜନୀତି ବୋଲି କହୁଛି ।

Get real time updates directly on you device, subscribe now.