fbpx

ପ୍ରକୃତିର ତାଣ୍ଡବ; ପାପୁଆ ନ୍ୟୁଗିନିରେ ୬.୯ ତୀବ୍ରତାର ଭୂମିକମ୍ପ, ୫ ମୃତ, ଏକ ହଜାର ଘର ନଷ୍ଟ

ନୂଆଦିଲ୍ଲୀ: ପାପୁଆ ନ୍ୟୁଗିନିରେ ପୁଣି ଥରେ ଭୂମିକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ରବିବାର ୬.୯ ତୀବ୍ରତାର ଭୂମିକମ୍ପରେ ୧୦୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ସେପଟେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଉତ୍ତରାଞ୍ଚଳରେ ଦେଖିବାକୁ ମିଳିଥିଲା। ଏଠାରେ ଉଦ୍ଧାରକାରୀ ଦଳ ସଂଘର୍ଷର ସମ୍ମୁଖୀନ ହେଉଛନ୍ତି। ୨୫୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି।

ଖାସ୍ କଥା ହେଉଛି, ରବିବାର ସକାଳେ ଯେତେବେଳେ ଭୂମିକମ୍ପ ହୋଇଥିଲା, ସେତେବେଳେ ସେପିକ୍ ନଦୀ କୂଳରେ ଥିବା ଡଜନାଧିକ ଗାଁରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ କ୍ଷୟକ୍ଷତି ବଢିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ପୁଲିସ କମାଣ୍ଡର କ୍ରିଷ୍ଟୋଫର ତମାରୀଙ୍କ କହିବା ନୁଯାୟୀ, ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଏବେ ବି ତଥ୍ୟ ସଂଗ୍ରହ କରାଯାଉଛି। ଭୂକମ୍ପ ପରବର୍ତ୍ତୀ ସମୟର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ କ୍ଷତିଗ୍ରସ୍ତ କାଠ ଘର ଦେଖିବାକୁ ମିଳୁଛି। ସେହିପରି କିଛି ଘର ଆଣ୍ଠୁଏ ଗଭୀର ବନ୍ୟା ପାଣିରେ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

ପାପୁଆ ନ୍ୟୁଗିନି ‘ରିଂ ଅଫ୍ ଫାୟାର’ର ଶୀର୍ଷରେ ଥିବାରୁ ଏହା ବାରମ୍ବାର ଭୂମିକମ୍ପର ଶିକାର ହେଉଥିବା କୁହାଯାଉଛି। ରିଂ ଅଫ୍ ଫାୟାର ହେଉଛି ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ ଅଞ୍ଚଳ । ଏହି ଅଞ୍ଚଳ ଭୂମିକମ୍ପ ସହିତ ଆଗ୍ନେୟଗିରି କାର୍ଯ୍ୟକଳାପ ସହିତ ଜଡିତ । ଆପଣଙ୍କୁ କହିରଖୁଛୁ ଯେ ଗତବର୍ଷ ପାପୁଆ ନ୍ୟୁ ଗିନିରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ପାପୁଆ ନ୍ୟୁ ଗିନି ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଏକ ଦ୍ୱୀପ ଦେଶ । ଏଥିରେ ନ୍ୟୁଗିନିର ପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଏହାକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଭାବେ ବିବେଚନା କରାଯାଏ । ଏହାର ପଡ଼ୋଶୀ ଦେଶ ହେଉଛି ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆ।

Get real time updates directly on you device, subscribe now.