ମା’ ସହ ଫୋନ୍‌ରେ କାର୍ଟୁନ ଦେଖୁଥିବା ସମୟରେ ୫ ବର୍ଷର ଶିଶୁକୁ ଆସିଲା ହୃଦଘାତ, ତା’ପରେ..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମରୋହାରୁ ହୃଦୟକୁ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ବର୍ଷର ଏକ ଶିଶୁ ମା’ ସହ ମୋବାଇଲରେ କାର୍ଟୁନ୍ ଦେଖୁଥିବା ସମୟରେ ହଠାତ୍ ମୋବାଇଲ୍ ତା’ ହାତରୁ ଖସି ତଳେ ପଡିଯାଇଥିଲା ଓ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏହି ମାମଲା ହସନପୁର ଥାନା କ୍ଷେତ୍ର ହତିଆଖେଡା ଗ୍ରାମର । ଶିଶୁକୁ ତତକ୍ଷଣାତ୍ ଚିକିତ୍ସକଙ୍କ ପାଖରେ ପହଞ୍ଚାଯାଇଥିଲା ଓ ସେଠାରେ ତାକୁ ମୃତ ଘୋଷିତ କରିଦିଆଯାଇଥିଲା । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି ।

ହତିଆଖେଡା ଗ୍ରାମର ମହେଶ ଖଣ୍ଡବଂଶୀଙ୍କ ୫ ବର୍ଷର କୁନି ଝିଅ କାମିନୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ବିଛଣାରେ ମା’ ସହ ବସି ମୋବାଇଲ୍‌ରେ କାର୍ଟୁନ ଦେଖୁଥିଲା । ଅଚାନକ ଶିଶୁଟି ହାତରୁ ମୋବାଇଲ ତଳେ ଖସିପଡିଥିଲା । ଏହାଦେଖି ପ୍ରଥମେ କାମିନୀର ମା’ ଭାବିଥିଲେ କି ସେ ଜାଣିଶୁଣି ଏପରି କରୁଛି । କିନ୍ତୁ ଯେତେବେଳେ ସେ ଝିଅକୁ ହଲାଇଥିଲେ ସେତେବେଳେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା । ଏହାଦେଖି ମହିଳା ପାଟି କରିଥିଲେ । ପରିଜନ ଓ ଆଖପାଖ ଲୋକ ସେଠାରେ ପହଞ୍ଚିଯାଇଥିଲେ ଓ ଶିଶୁକୁ ନିକଟବର୍ତ୍ତୀ ଜଣେ ଚିକିତ୍ସକଙ୍କ ପାଖକୁ ନେଇଯାଇଥିଲେ । ସେଠାରେ ସେ ତାକୁ ମୃତ ଘୋଷଣା କରିଥିଲେ । ଶିଶୁଟି ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲା । ଆସନ୍ତା ଜାନୁୟାରୀ ୩୦ ତାରିଖରେ ଶିଶୁର ୫ମ ଜନ୍ମଦିନ ଧୁମଧାମରେ ପାଳନ କରିବା ଲାଗି ପିତାମାତା ଯୋଜନା କରିଥିଲେ । କିନ୍ତୁ ତା’ ପୂର୍ବରୁ ଶିଶୁଟି ସବୁଦିନ ପାଇଁ ଆଖି ବୁଜିଦେଇଛି ।