fbpx

ଥମୁନି ପଞ୍ଜାବ ତାତି: ପୁଣି ଶକ୍ତି ପ୍ରଦର୍ଶନ କଲେ କ୍ୟାପଟେନ୍, ଡିନର ପାର୍ଟିରେ ପହଞ୍ଚିଲେ ୫୮ ବିଧାୟକ ଓ ୮ ମନ୍ତ୍ରୀ

Advertisement

ଚଣ୍ଡିଗଡ : ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯିବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ଖେଳ ଏବେ ମଧ୍ୟ ବାକି ରହିଛି । ବିରୋଧୀ ଗୋଷ୍ଠୀଙ୍କ ବିରୋଧରେ ପାର୍ଟି ହାଇକମାଣ୍ଡଙ୍କ ଖୋଲା ସମର୍ଥନରେ ଉତ୍ସାହିତ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ତାଙ୍କ ସମର୍ଥକ ଶାନ୍ତିରେ ନିଃଶ୍ୱାସ ମାରିଛନ୍ତି । ଏଥିସହ ତାଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗୁରୁବାର ପଞ୍ଜାବ କ୍ୟାବିନେଟର ବୈଠକ ପରେ କ୍ରୀଡା ମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢି ନିଜର ବାସଭବନ ଡିନର ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୫୮ ବିଧାୟକ ଓ ଆଠ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବିନ ଠୁକରାଲ ଏହାର ସୂଚନା ଦେଇଛନ୍ତି । ରାଣା ସୋଢି ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ଘନିଷ୍ଠ ନେତାଙ୍କ ମଧ୍ୟରୁ ଜଣେ । ଏଥିପାଇଁ ତାଙ୍କ ବାସଭବନରେ ଆୟୋଜିତ ବୈଠକକୁ ମୁଖ୍ୟମନ୍ତ୍ରୀ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନକୁ ସୂଚାଉଛି । ଅପରପକ୍ଷେ ବିରୋଧୀ ଗୋଷ୍ଠୀରେ ସାମିଲ ତିନି ଜଣ ମନ୍ତ୍ରୀ ଗୁରୁବାର ଅମରିନ୍ଦରଙ୍କ ବିରୋଧରେ ଅଭିଯୋଗ କରିବାକୁ ଦିଲ୍ଲୀ ଯାଇଛନ୍ତି । କିନ୍ତୁ କ୍ରୀଡା ମନ୍ତ୍ରୀଙ୍କ ଘରେ ଏହି ଡିନର ପାର୍ଟି ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ।

 

ଏହି ଡିନର ପାର୍ଟିରେ କ୍ୟାପଟେନଙ୍କ ସମର୍ଥନରେ ୬୬ ବିଧାୟକ ସାମିଲ ହୋଇଥିଲେ । ଅର୍ଥାତ ବିରୋଧୀ ଗୋଷ୍ଠୀ ବିରୋଧରେ ଅମରିନ୍ଦର ସିଂହଙ୍କ ପତିଆରାରେ ବୃଦ୍ଧି ଘଟିଛି । ଅନ୍ୟପଟେ ହାଇକମାଣ୍ଡଙ୍କ ସମର୍ଥନ ଓ ରାଜ୍ୟ ପ୍ରଭାରୀ ହରିଶ ରାୱତ ଘୋଷଣା କରିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ଲଢାଯିବ । ଏହା ପରେ କ୍ୟାପଟେନଙ୍କ ଗୋଷ୍ଠୀରେ ନୂତନ ଉତ୍ସାହ ଭରି ଯାଇଛି । ଏହି ଡିନର ପାର୍ଟିରେ ଅମରିନ୍ଦର ସିଂହ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ।

ସୂଚନାଯୋଗ୍ୟ, କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ଏବଂ ବିବାଦ ଥମିବାର ନାଁ ଧରୁନାହିଁ । ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରାଯିବା ପ୍ରସ୍ତାବକୁ ଅମରିନ୍ଦର ସ୍ୱୀକାର କରିବା ପରେ ଲାଗୁଥିଲା ଯେ, ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ପ୍ରଶମିତ ହୋଇଯିବ । କିନ୍ତୁ ସେମିତି ହେବା ପରି ଲାଗୁ ନାହିଁ । ଉଭୟ ନେତା ଆଗାମୀ ବିଧାନସଭା ନିର୍ବାଚନରେ ନିଜକୁ ବଡ ଚେହେରା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା ଚଳାଇଛନ୍ତି ।

 

Get real time updates directly on you device, subscribe now.