ଭୂତ ଖାଉଥିଲେ ଚାଉଳ, ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ହିତାଧିକାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କର ଇ-କେୱାଇସି ଯାଞ୍ଚ ସରିଛି । ସେହିପରି ୬ ଲକ୍ଷ ୧୯ ହଜାର ୮୩୬ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ ଉପଭୋକ୍ତାଙ୍କ ସଂକ୍ରାନ୍ତରେ ଉତ୍ତର ରଖିଛନ୍ତି । ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ଏବଂ ସେମାନଙ୍କୁ ଯଥାଶୀଘ୍ର ରାସନ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।