ହାତୀ ମଣିଷ ଲଢେଇରେ ଏତିକି ଦିନରେ ଗଲାଣି ୬୬୮ ଜୀବନ, ହୋଇଛି ବହୁ କ୍ଷୟକ୍ଷତି

ଭୁବନେଶ୍ୱର- ହାତୀ ଆକ୍ରମଣରେ ରାଜ୍ୟରେ ୬୬୮ ଲୋକଙ୍କ ବିଗତ ୩ ବର୍ଷରେ ଜୀବନହାନି ନେଇ ଗୃହକୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ପରିବେଶ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ । ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ଏମିତି ମଙ୍ଗଳବାର କହିଥିଲେ ମନ୍ତ୍ରୀ । ସେହିପରି ହାତୀ ଆକ୍ରମଣରେ ୫୦୯ ବ୍ୟକ୍ତି ଗୁରୁତର ହୋଇଥିଲେ ବୋଲି କହିଛନ୍ତି ମନ୍ତ୍ରୀ । ଏହି ସମୟ ଭିତରେ ହାତୀ ଆକ୍ରମଣରେ ୧୩୯ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦,୨୫୯ ଘର ଭାଙ୍ଗିଥିବା ଆଗକୁ ଉତ୍ତର ରଖିଥିଲେ ମନ୍ତ୍ରୀ । ଏଥିସହ ଜମ୍ବୁଙ୍କ ଦ୍ୱାରା ୭୩୬୨୦.୮୨ ଏକର ଚାଷ ସାରା ରାଜ୍ୟରେ ନଷ୍ଟ ହୋଇଛି ତିନି ବର୍ଷରେ ।

ଆଗକୁ ମନ୍ତ୍ରୀ ଗୃହକୁ ଜଣାଇଥିଲେ କି ରାଜ୍ୟରେ ୨୦୯୮ ହାତୀ ଥିବା ବେଳେ ସେମାନଙ୍କ ଉଦ୍ଦେଶ୍ୟରେ ୧୪ଟି ହାତୀ କରିଡୋର ରହିଛି । ସେହିପରି ରାଜ୍ୟ ବିଗତ ଦିନରେ ରାଜ୍ୟରେ ଏକ ଆଖିଦୃଶିଆ ହାତୀମୃତ୍ୟୁକୁ ରେକର୍ଡ କରିଛି । ରାଜ୍ୟରେ ଗତ ଜୁଲାଇ ୧ରୁ ନଭେମ୍ବର ୨୦ ଭିତରେ ରାଜ୍ୟରେ ୪୦ ହାତି, ୫ ଚିତା ଓ ୨୦୦ ଅନ୍ୟ ବନ୍ୟଜୀବଙ୍କ ମୃତ୍ୟୁ ହୋଇଛି । ହାତୀ ଶିକାର ଅଭିଯୋଗରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ଗୃହକୁ ମନ୍ତ୍ରୀ ଅବଗତ କରିଥିଲେ ।

ସେହିପରି ସମ୍ବଲପୁର ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ମାଈ ଓ ଗୋଟିଏ ଛୁଆ ହାତୀ ମୃତ୍ୟୁ ପରେ ୩ ଫରେଷ୍ଟ ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହ ୩ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା କହିଥିଲେ ମନ୍ତ୍ରୀ । ପ୍ରତାପ ଦେବଙ୍କ ଏକ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଥିଲେ କି, ରାଜ୍ୟରେ ୨୦୧୯ରୁ ୨୪ ଭିତରେ କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ।