ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳ, କେନ୍ଦୁଝରରୁ ୧୦ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬ ଜଣ, ପୁରୀରୁ ୫ ଜଣ, ମୟୂରଭଞ୍ଜ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।