fbpx

GST ପରିଷଦ ବୈଠକରେ ନିଆଗଲା ୭ଟି ବଡ଼ ନିଷ୍ପତ୍ତି: ସମସ୍ତ ସୋଲାର କୁକର ଉପରେ ଲାଗିବ ୧୨ ପ୍ରତିଶତ ଜିଏସଟି!

Advertisement

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୩ତମ ବୈଠକ ସମାପ୍ତ ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ଏ ବାବଦରେ ସୂଚନା ଦେବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସୋଲାର କୁକର ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବା ନେଇ ମଞ୍ଜୁରୀ ଦିଆଯାଇଥିବା ସେ କହିଛନ୍ତି । ଆସନ୍ତା ଅକ୍ଟୋବରରେ ପରବର୍ତ୍ତୀ ବୈଠକ ବସିବ ।

୧- ଜିଏସଟି ଦରକୁ ତର୍କସଙ୍ଗତ କରିବା ପାଇଁ ଗଠନ କରାଯାଇଥିବା ଜିଓଏମ ପରବର୍ତ୍ତୀ ବୈଠକରେ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ କରିବ । ଦରକୁ ତର୍କସଙ୍ଗତ କରିବା ପାଇଁ ଗଠିତ ଗ୍ରୁପ ଅପ୍ ମିନିଷ୍ଟରର ଅଧ୍ୟକ୍ଷତା ବିହାରର ଉପମୁଖ୍ୟମନ୍ତ୍ରୀ କରିବେ ।

୨- ପରିଷଦ ପକ୍ଷରୁ ସମସ୍ତ କାର୍ଟନ ବକ୍ସ ଉପରେ ୧୨ ପ୍ରତିଶତ ଦର ନିର୍ଦ୍ଧାରିତ କରାଯାଇଛି । ଫାୟାର ସ୍ପ୍ରିଙ୍କଲର ସହିତ ସମସ୍ତ ପ୍ରକାରର ସ୍ପ୍ରିଙ୍କଲର ଉପରେ ୧୨ ପ୍ରତିଶତ ଦର ଲାଗୁ ହେବ । ସମସ୍ତ ସୋଲାର କୁକର ଉପରେ ୧୨ ପ୍ରତିଶଥ ଜିଏସଟି ଦର ଲାଗୁ ହେବ ।

୩- ଶିକ୍ଷାନୁଷ୍ଠାନମାନଙ୍କରେ ବାହାର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ କ୍ଷେତ୍ରରେ ଛାଡ଼ ଦିଆଯିବ । ଆବାସ ସେବା ଯୋଗାଣର ମୂଲ୍ୟ ପ୍ରତି ବ୍ୟକ୍ତି ପିଛା ମାସିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ସେବା ସର୍ବନିମ୍ନ ୯୦ ଦିନର ନିରନ୍ତର ଅବଧି ପାଇଁ ଯୋଗାଇ ଦିଆଯିବ ।

୪- କାଉନସିଲ ସମସ୍ତ ସୋଲାର କୁକର ଉପରେ ୧୨ ପ୍ରତିଶତ ଜିଏସଟି ନିର୍ଦ୍ଧାରିତ କରିବାକୁ ସୁପାରିଶ କରିଛି । ସେଥିରେ ଗୋଟିଏ ବା ଦୁଇଟି ଉର୍ଜା ସ୍ରୋତ ରହିଥିଲେ ବି ତାହା ଲାଗୁ ହେବ ।

୫- ଭାରତୀୟ ରେଲୱେ ଦ୍ୱାରା ସାଧାରଣ ଜନତାଙ୍କୁ ପ୍ରଦାନ କରାଯାଉଥିବା ସେବା, ପ୍ଲାଟଫର୍ମ ଟିକେଟ ବିକ୍ରି, ରିଟାୟାରିଂ ରୁମ, ୱେଟିଂ ରୁମ, କ୍ଲାକରୁମ ସେବା, ବ୍ୟାଟେରୀ ଚାଳିତ କାର ସେବାକୁ ଜିଏସଟିରୁ ଛାଡ଼ କରାଯାଇଛି ।

୬- କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଆଣିବା ପକ୍ଷରେ ରହିଛନ୍ତି । ମାତ୍ର ରାଜ୍ୟମାନେ ଏଥିପାଇଁ ମିଳିମିଶି ଜିଏସଟି ଦର ସ୍ଥିର କରିବାକୁ କୁହାଯାଇଛି ।

୭- ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ପାଇଁ ଡିମାଣ୍ଡ ନୋଟିସ ଉପରେ ସୁଧ ଓ ଜରିମାନା ଛାଡ଼ କରାଯିବ । ଯଦି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧ ଟ୍ୟାକ୍ସ ଭରଣା କରାଯାଏ, ତେବେ ଏହା ଲାଗୁ ହେବ । ଏଥିସହିତ ଅନ୍ୟ ଏଜେଣ୍ଡା ଉପରେ ଚର୍ଚ୍ଚା କରିବା ପାଇଁ ଅଗଷ୍ଟରେ ପରବର୍ତ୍ତୀ ବୈଠକର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.