fbpx

ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସେହିପରି ବର୍ଷା ସମ୍ଭାବନା ନେଇ ସବୁ ଜିଲ୍ଲାପାଳ ଓ ସବୁ ବିଭାଗକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ଚିଠି ଲେଖିଛନ୍ତି । ସଚେତନତା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଲଘୁଚାପ ହେତୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୩୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । କିନ୍ତୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ କିଛି କିଛି ସ୍ଥାନରେ ମୌସୁମୀ ଜନିତ ବର୍ଷା ହୋଇପାରେ । କିନ୍ତୁ ଏହି ସମୟରେ ରାଜ୍ୟବାସୀ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ସଚେତନଶୀଳ ହୋଇ ଏହାର ମୁକାବିଲା କରିବା ପାଇଁ ସମସ୍ତ ସରକାରୀ ଅଧିକାରୀମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏପଟେ କରୋନା ଭୟ ଘାରୁଥିବା ବେଳେ ସେପଟେ ଲଘୁଚାପ ଜନିତ ବର୍ଷା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି । ତେଣୁ ଏଥି ପ୍ରତି ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.