fbpx

ବିଶ୍ୱକପ ପାଇଁ ୭ଟି ଷ୍ଟାଡିୟମର ହେବ ନବକଳେବର: ପ୍ରତ୍ୟେକ ଷ୍ଟାଡିୟମକୁ BCCIର ୫୦ କୋଟି

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ବିଶ୍ୱ କ୍ରିକେଟ ମହାକୁମ୍ଭ । ଚଳିତ ଥର ବିଶ୍ୱକପର ଆୟୋଜନ ଦାୟିତ୍ୱ ପାଇଛି ଭାରତ । ତେଣୁ ଦେଶର ବିଭିନ୍ନ ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ସେଥିପାଇଁ ଷ୍ଟାଡିୟମ ଗୁଡିକୁ ନେଇ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଐତିହାସିକ ଷ୍ଟାଡିୟମଗୁଡିକୁ ଭାରତୀୟ କ୍ରିକେଟ ବୋର୍ଡଗୁଡିକ ଆହୁରି ଉନ୍ନତୀକରଣ କରାଇବା ପାଇଁ ପଦକ୍ଷେପ ନେଇଛି । ୭ଟି ଷ୍ଟାଡିୟମକୁ ଆହୁରି ଅପଗ୍ରେଡ କରିବା ପାଇଁ ବିସିସିଆଇ ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ମଞ୍ଜୁର କରିଛି ।

ବିଶ୍ୱକପ ପୂର୍ବରୁ ଷ୍ଟାଡିୟମର ଉନ୍ନତୀକରଣକୁ ନେଇ ତତ୍ପର ହୋଇଛି ବିସିସିଆଇ । ଏଥିପାଇଁ ୭ଟି ଷ୍ଟାଡିୟମରେ ହେବ ଅପଗ୍ରେଡ କାର୍ଯ୍ୟ । ଏହି ତାଲିକାରେ କୋଲକାତାର ଇଡେନ ଗାର୍ଡେନ୍ସ, ମୁମ୍ବାଇର ୱାନଖେଡେ ଷ୍ଟାଡିୟମ ଏବଂ ଲକ୍ଷେ୍ନøର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ ଧର୍ମଶାଳା, ଚେନ୍ନାଇ, ପୁଣେ ଏବଂ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ମଧ୍ୟ ଅପଗ୍ରେଡ କରାଯିବ । ସୂଚନା ଅନୁଯାୟୀ, ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନୂଆ ଫ୍ଲଡଲାଇଟ ଲଗାଯିବା ସହିତ କର୍ପୋରେଟ ବକ୍ସ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଇଡେନ ଗାର୍ଡେନ୍ସରେ ଡ୍ରେସିଂ ରୁମକୁ ଉନ୍ନତୀକରଣ କରାଯିବ ଏବଂ ଧର୍ମଶାଳାରେ ନୂଆ ଆଉଟଫିଲ୍ଡ ପ୍ରସ୍ତୁତ କରାଯିବ ବୋଲି ଯୋଜନା ରହିଛି ।

ଅନ୍ୟ ପକ୍ଷରେ ଲକ୍ଷେ୍ନø ଷ୍ଟାଡିୟମରେ ଏବଂ ଚେନ୍ନାଇରେ ପିଚ୍ କାମ କରାଯିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟୟବରାଦ ମଞ୍ଜୁର କରାଯାଇଛି । ତେବେ ପୁଣେ ଷ୍ଟାଡିୟମରେ ଛାତ କାମ କରିବାକୁ ଥିବା ବେଳେ ଦିଲ୍ଲୀରେ ସିଟ ଏବଂ ଶୌଚାଳୟ କାମ ପାଇଁ ବିସିସିଆଇ ପଦକ୍ଷେପ ନେଇଛି । ଆସନ୍ତା ବିଶ୍ୱକପ ଭାରତର ମୋଟ ୧୦ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ୭ଟି ଷ୍ଟାଡିୟମରେ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ବାକି ରହିଛି । ତେବେ ଏହିସବୁ କାମ ବିଶ୍ୱକପ ପୂର୍ବରୁ ଶେଷ କରିବା ପାଇଁ କହିଛି ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.