fbpx

ଦେଶର ୭୫ ଜଣ ଶିକ୍ଷାବିତଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାରୁ ୪ ଜଣ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ ଗୁରୁଦିବସ । ଏହି ଦିବସରେ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଦେଶର ୭୫ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଶିକ୍ଷକ ରହିଛନ୍ତି । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିବସ ଅବସରରେ ପ୍ରତିବର୍ଷ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି । ଶିକ୍ଷା ପ୍ରତି ନିଷ୍ଠା, ପ୍ରତିବଦ୍ଧତା ରହିବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ପ୍ରଦାନ କରିଆସିଥିବା ଶିକ୍ଷକମାନଙ୍କୁ ପ୍ରତିବର୍ଷ ଏହି ଦିବସରେ ପୁରସ୍କୃତ କରାଯାଇଥାଏ ।

ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାରର ପରିସରକୁ ବୃଦ୍ଧି କରାଯିବା ସହ ସେଥିରେ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟର ଶିକ୍ଷକଙ୍କୁ ସାମିଲ କରାଯାଇଛି । ଏଥର ଦେଶର ୫୦ ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷକ, ୧୨ ଜଣ ଦକ୍ଷତା ବୃଦ୍ଧି ମନ୍ତ୍ରଣାଳୟର ଶିକ୍ଷକ ଏହି ପୁରସ୍କାର ପାଇବେ । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଯୋଗ୍ୟ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ ।

ଚଳିତ ବର୍ଷ ଓଡ଼ିଶାରୁ ୪ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ସେମାନଙ୍କ ମଧ୍ୟରେ ରବି ନାରାୟଣ ସାହୁ, ସୁନିତା ସିଂହ, ସୁଭାଷ ଚନ୍ଦ୍ର ରାଉତ ଓ ଶଶି ଶେଖର କର ଶର୍ମା ରହିଛନ୍ତି । ପୁରସ୍କାର ବାବଦରେ ଏହି ଶିକ୍ଷକଙ୍କୁ ୫୦ ହଜାର ନଗଦ ଟଙ୍କା, ଏକ ମାନପତ୍ର ସହ ରୌପ୍ୟ ପଦକ ପ୍ରଦାନ କରାଯିବ । ଏହି ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଶିକ୍ଷା କ୍ଷେତ୍ରକୁ ସେମାନେ ଆହୁରି ସମୃଦ୍ଧ କରିବେ ବୋଲି ଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.