fbpx

ଅସୁବିଧା ସମୟ ପାଇଁ ପ୍ରସ୍ତୁତ ନୁହଁନ୍ତି ୭୫ ପ୍ରତିଶତ ଭାରତୀୟ: ଚାକିରି ଚାଲିଗଲେ କିପରି ଚଳାଇବେ ଘର, ଜାଣି ନିଅନ୍ତୁ ଉପାୟ

Advertisement

ନୂଆଦିଲ୍ଲୀ:ଯେତେବେଳେ ବି ପଇସାର କଥା ଉଠିଥାଏ ସେତେବେଳେ ଲୋକମାନେ ଲଙ୍ଗ ଟର୍ମ ପ୍ଲାନ୍ ବିଷୟରେ ଚିନ୍ତା କରିଥାନ୍ତି । ଆମର ଫାଇନାନ୍ସିଆଲ୍ ପ୍ଲାନିଂରେ ସବୁୁବେଳେ ୧୨ରୁ ୧୫ କିମ୍ବା ତାହାଠାରୁ ଅଧିକ ସମୟ ଲାଗି ଲକ୍ଷ୍ୟ ରହିଥାଏ । ଯେପରିକି ପିଲାର ଉଚ୍ଚଶିକ୍ଷା, ଅବସରକାଳୀନ ବ୍ୟବସ୍ଥା ଇତ୍ୟାଦି । ଏହା ବ୍ୟତିତ ବହୁ ଭାରତୀୟ ହ୍ୟାଣ୍ଡ ଟୁ ମାଉଥ୍ ଅବସ୍ଥାରେ ରହିଥାନ୍ତି । ପର୍ସନାଲ୍ ଫାଇନାନ୍ସ ପ୍ଲାଟଫର୍ମ ଫିନୋଲଜିର ସର୍ଭେ ଅନୁସାରେ ୭୫ ପ୍ରତିଶତ ଭାରତୀୟଙ୍କ ପାଖରେ ଅସୁବିଧା ସମୟରେ କିମ୍ବା ଇମର୍ଜେନ୍ସି ସମୟ ଲାଗି କୌଣସି ଫାଇନାନ୍ସିଆଲ୍ ପ୍ଲାନିଂ କିମ୍ବା କୌଣସି ଅର୍ଥନୈତକି ପ୍ରସ୍ତୁତି ନାହିଁ ।
ଦରମା ୧୫ ଦିନରୁ ଅଧିକ ସମୟ ଯାଇ ନ ଥାଏ:
ଫିନୋଲଜି ପକ୍ଷରୁ ଇଣ୍ଡିଆ ମନି ହାବିଟ୍ ଶୀର୍ଷକରେ ଏକ ରିପୋର୍ଟ ସେୟାର କରାଯାଇଛି । ଏହି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଫିନୋଲଜି ୩ ଲକ୍ଷ ଲୋକଙ୍କ ଉପରେ ସର୍ଭେ କରିଥିଲା । ରିପୋର୍ଟ ଅନୁସାରେ ପ୍ରତି ୪ ଜଣଙ୍କ ମଧ୍ୟରେ ଜଣେ ଭାରତୀୟଙ୍କ ପରିସ୍ଥିତି ଏପରି ଯେ, ଯଦି ତାଙ୍କର ଚାକିରି ଚାଲିଯିବ ତେବେ ଆଗାମୀ ମାସରେ ଘର ଚଳାଇବା ଲାଗି ତାଙ୍କ ପାଖରେ କାଣି କଉଡିଟିଏ ବି ନ ଥିବ । ୭୫ ପ୍ରତିଶତ ଏପରି ଭାରତୀୟ ଅଛନ୍ତି ଯେଉଁମାନଙ୍କ ଦୈନିକ ଆୟ ପ୍ରଭାବିତ ହେଲେ ସେମାନେ ନିଜ ଲୋନର ଇଏମଆଇ ବି ପଇଠ କରିପାରିବେ ନାହିଁ । ଏହି ରିପୋର୍ଟରେ ୨୯ ପ୍ରତିଶତ ପ୍ରତିଭାଗୀ ଉତ୍ତର ଦେଇଛନ୍ତି ଯେ, ସେମାନଙ୍କ ଦରମା ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଇ ନ ଥାଏ ।
ଋଣରେ ବୁଡି ରହିଛନ୍ତି ୬ ଜଣରେ ଜଣେ ଭାରତୀୟ:
ଏହି ସର୍ଭେରେ ଏହା ମଧ୍ୟ ସାମନାକୁ ଆସିଛି ଯେ, ପ୍ରତି ୬ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କ ଉପରେ ନିଜ ଆୟର ଦୁଇ ଗୁଣ ଋଣ ରହିଛି । ଏଥିମଧ୍ୟରୁ ୫୭ ପ୍ରତିଶତ ଲୋକ କହନ୍ତି ସେମାନେ ନିଜ ନିବେଶ ବିକ୍ରୟ କରି ଏହି ଋଣ ପରିଶୋଧ କରିବେ । ଅନ୍ୟପକ୍ଷରେ ୨୪ ପ୍ରତିଶତ ଲୋକ କହନ୍ତି ସେମାନେ ଦ୍ୱିତୀୟ ଲୋନ୍ ନେଇ ପ୍ରଥମ ଲୋନ୍ ଶୁଝିବେ । ୫ ପ୍ରତିଶତ କହିଛନ୍ତି ସେମାନେ ସାଙ୍ଗସାଥୀଙ୍କ ଠାରୁ ଉଦ୍ଧାର ନେଇ ଋଣ ଶୁଝିବେ ଆଉ ୧୫ ପ୍ରତିଶତ କହନ୍ତି ଆମେ ଏହାକୁ ଏଡାଇ ଯିବୁ ।
ଇମର୍ଜେନ୍ସିକୁ ସାମ୍ନା କରିବା ଲାଗି ସଞ୍ଚୟ କରିବାକୁ ହେବ:
ଏହି ରିପୋର୍ଟ ବେଶ୍ ଚିନ୍ତାର ବିଷୟ । ଆମେ ସମସ୍ତେ ଜାଣିବା କଥା ଯେ, ଜୀବନ ସର୍ବଦା ଏକ ସରଳରେଖାରେ ଚାଲି ନ ଥାଏ । ଏଥିରେ ଉଠାଣି ଗଡାଣି ଭରି ରହିଛି । ତେଣୁ ଇମର୍ଜେନ୍ସି ସମୟକୁ ସାମ୍ନା କରିବା ଲାଗି ସମସ୍ତଙ୍କୁ ସଞ୍ଚୟ କରିବାକୁ ପଡିବ । ଏହି କ୍ରମରେ ଆମେ ଆଜି ଆପଣଙ୍କୁ ସଞ୍ଚୟ କରିବାର ଉପଯୁକ୍ତ ଉପାୟ ବିଷୟରେ କହିବାକୁ ଯାଉଛୁ ।
ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରଖନ୍ତୁ:
ଆପଣ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରଖନ୍ତୁ । ଗୋଟିଏ ସାଲାରୀ ଆକାଉଣ୍ଟ ଯେଉଁଥିରୁ ଆପଣ ପଇସା ଖର୍ଚ୍ଚ କରିପାରିବେ ଓ ଅନ୍ୟଟି ଯେଉଁଥିରେ ଆପଣ ପଇସା ସଞ୍ଚୟ କରିପାରିବେ । ଏବେ ଆପଣ ନିଜ ଆୟ ଓ ଜରୁରୀ ଖର୍ଚ୍ଚର ହିସାବ କରନ୍ତୁ । ଜରୁରୀ ଖର୍ଚ୍ଚ ବାହାର କରିବା ପରେ ଯଦି ଆପଣଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ବଳିଲା ତେବେ ସେଥିରୁ ୧୦୦୦ କିମ୍ବା ୨୦୦୦ର ଏକ ଛୋଟ ଆମାଉଣ୍ଟ ନିଜ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଅନ୍ତୁ ।
ଇମର୍ଜେନ୍ସି ନ ପଡିଲେ ଇମର୍ଜେନ୍ସି ଫଣ୍ଡରୁ ପଇସା ଉଠାନ୍ତୁ ନାହିଁ :
ଅନ୍ୟ ଏକ ଉପାୟ ହେଉଛି ଆପଣ ନିଜର ଇମର୍ଜେନ୍ସି ଫଣ୍ଡକୁ ମାସର ଜରୁରୀ ଖର୍ଚ୍ଚରେ ସାମିଲ କରନ୍ତୁ । ଏହାର ଅର୍ଥ ଦରମା ଆସିବା ମାତ୍ରକେ ଏକ ନିଦ୍ଧିଷ୍ଟ ରାଶି ଇମର୍ଜେନ୍ସି ଫଣ୍ଡରେ ଟ୍ରାନ୍ସଫର କରି ଦିଅନ୍ତୁ । ଏହା ଧ୍ୟାନ ରଖନ୍ତୁ ଯେ ଇମର୍ଜେନ୍ସି ଫଣ୍ଡରୁ ସେ ପର୍ଯ୍ୟନ୍ତ ପଇସା ଉଠାନ୍ତୁ ନାହିଁ ଯେ ପର୍ଯ୍ୟନ୍ତ କୌଣସି ଇମର୍ଜେନ୍ସି ନ ପଡିଛି । ଅନ୍ୟପକ୍ଷରେ କାମ ସରିବା ପରେ ଏହି ଫଣ୍ଡକୁ ପୁଣି ଭରିଦେବାକୁ ଚେଷ୍ଟା କରନ୍ତୁ । ଏହି ପ୍ରକାରରେ ଆପଣଙ୍କ ହାତରେ ପଇସା ରହିବ ଓ ଆପଣଙ୍କୁ ସମସ୍ୟା ହେବ ନାହିଁ ।

Get real time updates directly on you device, subscribe now.