ଯନ୍ତ୍ରଣାକୁ କମାଇଦେଲା ‘ପୁରୁଣା ପ୍ରେମ’! ଅପରେସନ ବେଳେ ‘ମେଁ ୧୭ ବରଷ କା, ତୁ ୧୬ ବରଷ କୀ…’ ଗୀତ ଗାଇଲେ ୭୫ ବର୍ଷୀୟ ରୋଗୀ
ନୂଆଦିଲ୍ଲୀ: ପ୍ରେମ ସମସ୍ତଙ୍କ ଜୀବନରେ ଅଳ୍ପ, ବହୁତେ ହୋଇଥାଏ । ତେବେ ମଣିଷର ବିଭିନ୍ନ ବୟସରେ ପ୍ରେମର ପରିଭାଷା, ଅର୍ଥ, ଅନୁଭବ କିନ୍ତୁ ଅଲଗା ଅଲଗା ହୋଇଥାଏ । ବୁଢ଼ା ବୟସରେ ବିବାହ କଲେ, ପ୍ରେମ କଲେ ଏହାକୁ ନେଇ ଲୋକେ ମଜା ଉଡ଼ାଇଥାନ୍ତି । ତେବେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ନେଇ ଏକ ମଜାଳିଆ ଖବର ସାମ୍ନାକୁ ଆସିଛି । ୭୫ ବର୍ଷ ବୟସରେ ସତ ଯେମିତି ଏଇ ବୃଦ୍ଧ ଜଣଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ସତେ ଯେମିତି ସେ ତାଙ୍କର ୧୬-୧୭ ବର୍ଷ ବୟସର ତରୁଣ ପ୍ରେମ କାହାଣୀକୁ ପୁଣି ଥରେ ଅନୁଭବ କରିପାରିଛନ୍ତି ।
ଖବର ମୁତାବକ, ଛତିଶଗଡ଼ରେ ଜାଞ୍ଜଗୀର-ଚାମ୍ପା ଜିଲ୍ଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧ ହାର୍ଣ୍ଣିଆ ଅପରେସନ ସମୟରେ ପୁରୁଣା ହିନ୍ଦି ଫିଲ୍ମର ଗୀତ ‘ମେଁ ୧୭ ବରଷ କା, ତୁ ୧୬ ବରଷ କୀ…..’କୁ ଗାଇଥିଲେ । ସାଧାରଣ ଭାବେ ଅପରେସନ ଥିଏଟରରେ ଜଣଙ୍କର ଜୀବନ-ମରଣର ପ୍ରଶ୍ନ ଉଠିଥାଏ । ଜଣେ ରୋଗୀ ମେଡିକାଲରେ ବେଡରେ ଅସ୍ତ୍ରୋପଚାର କରାଯାଉଥିବା ସମୟରେ ଗୀତ ଗାଇବା ଦେଖି ଡାକ୍ତର ଓ ନର୍ସ ଚକିତ ହୋଇଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା ।
ବୃଦ୍ଧ ଜଣଙ୍କ ମେଡିକାଲ ବେଡରେ ଅପରେସନ ସମୟରେ ଯେଉଁ ଭଳି ଭାବେ ଗୀତ ଗାଇଥିଲେ, ସତେ ଯେମିତି ପ୍ରେମ ତାଙ୍କର ରୋଗ ଯନ୍ତ୍ରଣାକୁ ହ୍ରାସ କରିଦେଇଥିଲା । ୧୬-୧୭ ବର୍ଷ ବୟସରେ ସେ ଯେଉଁ ପ୍ରେମ କରିଥିଲେ, ତାହା ଆଜି ତାଙ୍କ ହୃଦୟରେ ଖୁସି ଭରିଦେଇଥିବା ଭଳି ଲାଗୁଥିଲା । ତେବେ ଅପରେସନକୁ ଯେଉଁମାନେ ଭୟ କରିଥାନ୍ତି, ବୃଦ୍ଧଙ୍କ ଘଟଣା ସେମାନଙ୍କ ପାଇଁ ଏକ ପ୍ରେରଣା ବୋଲି ଡାକ୍ତରମାନେ କହିଛନ୍ତି ।