ଡିଜିଟାଲ ଯୁଗରେ ବି ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ
୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ ।
ଭୁବନେଶ୍ବର: ବିଧାନସଭାରେ ଉଠିଲା ଗ୍ରାମରେ ଇଣ୍ଟରନେଟ୍ ପ୍ରସଙ୍ଗ । ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା । ଏନେଇ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଇଛନ୍ତି ।
ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ, ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । କନ୍ଧମାଳ ଜିଲ୍ଲା ସବୁଠାରୁ ଆଗରେ ରହିଛି । କନ୍ଧମାଳ ଜିଲ୍ଲାର ୧୦୬ ଟି ପଞ୍ଚାୟତରେ ନାହିଁ ଟାୱାର । ଜୁନ ୨୦୨୫ ସୁଦ୍ଧା ବଳକା ୨,୧୯୨ଟି ଟାୱାର୍ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ରାଜ୍ୟରେ ଅଦ୍ୟାବଧି ମୋଟ୍ ୫୧୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ । ତେବେ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ଯୋଗାଇବା ଦେବା ପାଇଁ ପ୍ରୟାସ ଜାରି ରଖିଥିଲେ ହେଁ ଆଜି ମଧ୍ୟ ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା ।