fbpx

ମାଉଣ୍ଟ ଏଲ୍‌ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ଆନ୍ଧ୍ରପ୍ରଦେଶର ୮ ବର୍ଷୀୟ ଭୁବନ ଜୟ, ସର୍ବକନିଷ୍ଠ ପର୍ବତ ଆରୋହୀ ଭାବେ ନିଜ ନାଁରେ କଲେ ରେକର୍ଡ

କୁରନୁଲ (ଭାସ୍କର ନ୍ୟୁଜ୍) : ୟୁରୋପୀୟ ମହାଦ୍ୱୀପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସରେ ତ୍ରିରଙ୍ଗା ଉଡାଇଲେ ୮ ବର୍ଷୀୟ ଭୁବନ ଜୟ । ଆନ୍ଧ୍ରପ୍ରଦେଶର କୁରନୂଲ ବାସିନ୍ଦା  ୮ ବର୍ଷୀୟ ବାଳକ ଗନ୍ଧମ୍‌ ଭୁବନ ଜୟ ୟୁରୋପୀୟ ମହାଦ୍ୱୀପ(୫,୬୪୨ ମିଟର)ରେ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ ଆରୋହଣ କରିଥିବା ସର୍ବକନିଷ୍ଠ ବ୍ୟକ୍ତି ହୋଇଛନ୍ତି । ମାଉଣ୍ଟ ଏଲ୍‌ବ୍ରସ ସେହି ୭ ଶିଖର ମଧ୍ୟରେ ଅନ୍ୟତମ, ଯାହାର ଆରୋହଣ ଏତେ ଜଟିଳ ଯେ ପର୍ବତାରୋହୀମାନଙ୍କୁ ଅତିଶୟ ଶାରୀରିକ ଚାପ ସାମ୍ନା କରିବାକୁ ପଡ଼େ । ରୁରାଲ୍‌ ଡେଭ୍‌ଲପମେଣ୍ଟ ଟ୍ରଷ୍ଟର କ୍ରୀଡ଼ା କୋଚ୍‌ ଶଙ୍କରାୟାଙ୍କଠାରୁ ତାଲିମ ପାଇଥିବା ଭୁବନ ନିଜ ଟିମ୍‌ ସହିତ ମାଉଣ୍ଟ ଏଲ୍‌ବ୍ରସ ଶୃଙ୍ଗ ବିଜୟୀ ହୋଇଛନ୍ତି । ଶିଖରରେ ପହଞ୍ଚି ଗର୍ବର ସହ ସେ ଜାତୀୟ ପତାକା ଦେଖାଇଛନ୍ତି ।

 

ଏହି ପ୍ରୟାସ ପାଇଁ ସେ ନିଜର ବାପା ଅନନ୍ତପୁର ଜିଲ୍ଲାପାଳ ଗନ୍ଧମ୍‌ ଚନ୍ଦ୍ରୁଡୁଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କର ଉତ୍ସାହ ଲାଗି ସେ ଏଥିରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି । ଅଭିଭାବକମାନେ ଯଦି ପିଲାଙ୍କୁ ସମର୍ଥନ କରିବେ, ତେବେ ଅନେକ ପିଲା କୃତିତ୍ୱ ହାସଲ କରିପାରିବେ ବୋଲି ଭୁବନଙ୍କ ମତ ।

Get real time updates directly on you device, subscribe now.