ଏହି ମେଡିସିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ୩ ବର୍ଷରେ ୮୪ଟି ନକଲି ଔଷଧ ଚିହ୍ନଟ

ଭୁବନେଶ୍ବର: ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ ହୋଇଛି ।

ନକଲି ମେଡିସନ୍ ନେଇ ୧୦୭ ମାମଲା ହୋଇଥିବା ବେଳେ ୧୫ ଜଣ ଗିରଫ ହୋଇଛନ୍ତି । ୩ ବର୍ଷ ମଧ୍ୟରେ ୩,୪୬୨ଟି ଚଢ଼ାଉ କରାଯାଇଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ ପ୍ରତିଦିନ ନକଲି ଖାଦ୍ୟ ପଦାର୍ଥଠୁ ନେଇ  ନକଲି ପୋଲିସ ଯାଏଁଁ ଚିହ୍ନଟ ହେଉଛନ୍ତି । ଏବେ ନକଲି ମେଡିସିନ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଜୀବନ ବଞ୍ଚାଇବା ପାଇଁ ଖାଉଥିବା ମେଡିସିନ ବି ନକଲି ଚିହ୍ନଟ ହୋଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା । ରାଜ୍ୟରେ ନକଲି ଔଷଧ ଯୋଗାଣ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ, ସରକାର ଏପର୍ଯ୍ୟନ୍ତ ଚାରିଟି ଯୋଗାଣକାରୀଙ୍କୁ କଳାତାଲିକାଭୁକ୍ତ କରିଛନ୍ତି ।