ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଏକ ବଡ଼ ଉପହାର ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ତୁଷୁରା ଏୟାର ଷ୍ଟ୍ରିପର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଅପର ଲାନ୍ଥ ଜଳ ସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପାଟଣାଗଡ ବାଇପାସ୍ ରୋଡ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ପଟଣାଗଡ ଉପଖଣ୍ଡ ମେଡିକାଲ ଓ ଡାଏଲିସିସ୍ କେନ୍ଦ୍ର ଉଦଘାଟିତ ଓ ଟିଟଲାଗଡ ଡାଏଲିସିସ କେନ୍ଦ୍ର ଉଦଘାଟିତ ହୋଇଛି । ଏଥିସହିତ ପାଟଣାଗଡ ଓ ବେଲପଡା ବ୍ଲକ ପାଇଁ ୧୭୨ କୋଟି ଟଙ୍କା ମୂଲ୍ୟର ତିନୋଟି ମେଗା ଓ ମିନି ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୫ ବର୍ଷରେ ହୋଇଥିବା ଅବହେଳା ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି । ଜଳ ସେଚନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍?ଘାଟନ ଓ ଶିଳାନ୍ୟାସ କରିଛନ୍ତି । ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ ୨-ବି ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ୱାରା ବଲାଙ୍ଗିର ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇ ପାରିବ ଏବଂ ଏହା ଜିଲ୍ଲାର ବିକାଶକୁ ଆହୁରି ଗତିଶୀଳ କରିବ ।
ଏହା ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପ ମୂଲ୍ୟରେ ବେଲପଡା ବ୍ଲକର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଓଡିଶାର ଯେଉଁ ବ୍ଲକରେ ଜଳସେଚନ ହାର କମ୍ ଅଛି ସେ ସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅପର ଲାନ୍ଥ ପ୍ରକଳ୍ପ ଏହି ପଦକ୍ଷେପର ଅଂଶ ବିଶେଷ । ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗିର ବିକାଶର ଧାରା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ୠତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ଏବଂ ଏହା ଦ୍ୱାରା ବେଲପଡା ବ୍ଲକର ୨୫ ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି ଚାଷୀମାନେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ପାଇବେ । ଧାନ ବିକ୍ରିରେ କଟନୀ ଛଟନି ରହିବ ନାହିଁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବେଲପଡା ବ୍ଲକ ତଥା ବଲାଙ୍ଗିର ଜିଲ୍ଲାର ପାଣି ସମସ୍ୟାର ସମାଧନ ଲାଗି ଏହି ପ୍ରକଳ୍ପ ଗୋଟିଏ ବଳିଷ୍ଠ ପଦକ୍ଷେପ ଏବଂ ଏହାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରାଯିବ । ଲୋୟର ସୁକତେଲ ପ୍ରକଳ୍ପର ଟଙ୍କା ବାଟମାରଣା ଭଳି ଭୁଲ ଆମ ସରକାରରେ ହେବ ନାହିଁ । ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ବେଲପଡା ତଥା ବଲାଙ୍ଗିର ଜିଲ୍ଲାରେ ସେଚ ବିପ୍ଳବ ଆଣିବ । ଲାନ୍ଥ ନଦୀ ଉପରେ ୨୪୯୫ ମିଟର ଲମ୍ବା ଡ୍ୟାମରେ ଜଳ ବିଦ୍ୟୁତ ଶକ୍ତି ୟୁନିଟ୍ ଦ୍ୱାରା ୨୧୦ କିଲୋ ୱାଟ୍ ବିଜୁଳୀ ଉତ୍ପାଦନ ପାଇଁ ବ୍ୟବସ୍ଥା ମଧ୍ୟ ହେବ । ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ।
ମୁଖ୍ୟମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର । ଗତ ୭୫ ବର୍ଷରେ ହୋଇଥିବା ଅନ୍ୟାୟ ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପାଟଣାଗଡ ଉପଖଣ୍ଡ ମେଡିକାଲ ଓ ଡାଏଲିସିସ୍ କେନ୍ଦ୍ର ଏବଂ ଟିଟଲାଗଡରେ ଏକ ଡାଏଲିସିସ କେନ୍ଦ୍ରର ଉଦଘାଟନ କରିଥିଲେ । ଏଥି ସହିତ ପାଟଣାଗଡର ବହୁ ପ୍ରତିକ୍ଷିତ ବାଇପାସ୍ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୧୮ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ବାଇପାସ୍ ରୋଡରେ ୪ଲେନ୍ ବଶିଷ୍ଟ ରାସ୍ତା, ସୁବର୍ଣ୍ଣରେଖା ଓ ମାୟାବତୀ ନାଳ ଉପରେ ଦୁଇଟା ସେତୁ, ୨୮ଟି ନ୍ୟୁ ବକ୍ସ ସେଲ୍ କଲଭର୍ଟ ନିର୍ମାଣ ହେବ । ଏହି ବାଇପାସ ରୋଡ ଦ୍ୱାରା ପାଟଣାଗଡର ଟ୍ରାଫିକ୍ ସମସ୍ୟା ଦୂର ହେବ ।
ଖୋର୍ଦ୍ଧା–ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଦୃତ ବେଗରେ ଆଗେଇ ଚାଲିଛି । ଉଭୟ ପଟୁ ୧୫୨ କିଲୋମିଟରରୁ ଅଧିକ କାମ ସରିଯାଇଛି । ଖୁବ୍ ଶୀଘ୍ର ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ୭୩ କିଲୋମିଟର ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ହେବ ଏବଂ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗିର ମଧ୍ୟରେ ରେଳ ଚାଲିବ । ଓଡିଶା ପ୍ରତି ଏହା ମୋଦୀଜୀଙ୍କ ଭଲପାଇବାର ନିଦର୍ଶନ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ବଲାଙ୍ଗିର ଜିଲ୍ଲାରେ ବିକାଶର ଗତି ଏକ୍ସେପ୍ରେସ୍ ସ୍ପିଡରେ ଚାଲିଛି । ରାଜ୍ୟରେ ଡବଲ ଇଞ୍ଜିନ ଓ ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି । କାରଣ ଏହି ଜିଲ୍ଲାର ଦୁଇଜଣ ଜନପ୍ରତିନିଧି ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି । ଏଥି ସହିତ ଅନେକ ସାଂସଦ ଓ ବିଧାୟକ ମଧ୍ୟ ଜିଲ୍ଲାରୁ ସରକାରୀ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି । ଡବଲ ଇଞ୍ଜିନ ସରକାର ଓଡିଶାରେ ବିକାଶର ନୂଆ ଇତିହାସ ଲେଖିବା ପାଇଁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକୁମେଣ୍ଟ ପାଇଁ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରି କହିଥିଲେ ଆପଣ ମାନଙ୍କ ମତ ଓ ଆପଣ ମାନଙ୍କ ଭାଗିଦାରୀରେ ଆମେ ଗଢିବୁ ଆମ ସ୍ୱପ୍ନର ଓଡିଶା- ସମୃଦ୍ଧ ଓଡିଶା, ବିକଶିତ ଓଡିଶା । ବଲାଙ୍ଗିରରେ ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ସର୍କିଟ ହାଉସକୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଏହି ଅପର ଲାନ୍ଥ ପ୍ରକଳ୍ପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୋ ବିଭାଗର ସମ୍ପୃକ୍ତି ରହିଛି ତେଣୁ ଏହି ପ୍ରକଳ୍ପ କାମ ଖୁବ୍ ଶୀଘ୍ର ସମ୍ପନ୍ନ ହେବ । ଆମ ସରକାର କ୍ଷମତାକୁ ଆସିବା ପରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ଏବଂ ଏଗୁଡିକର ଉଦଘାଟନ ମଧ୍ୟ ଆମ ସରକାର କରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଏବଂ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲବାର ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ ।