fbpx

ଜୟପାଟଣା ପୋଲିସକୁ ମିଳିଲା ବଡ ସଫଳତା: ବନ୍ଧା ହେଲେ ୯ ଜଣିଆ ଡକାୟତି ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ସହ ଅନ୍ୟ ୫ ଜଣକୁ ଧରିବାକୁ ଜାଲ ବିଛାଇଛି ପୋଲିସ

ଭବାନୀପାଟଣା (ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ନୂଆଗୁଡା ଗ୍ରାମରେ ଘଟିଥିବା ଏକ ବଡଧରଣର ଡକାୟତି ଘଟଣାର ତଦନ୍ତ କରି ଜୟପାଟଣା ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଥିବା ଖବର ମିଳିଛି ।

ସୂଚନାନୁଯାୟୀ ପୋଲିସ ଏହି ଡକାୟତ ଦଳର ନଅ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୮ ଗ୍ରାମ ସୁନା ନଗଦ ୧୧ ହଜାର ପାଞ୍ଚଶହ ଟଙ୍କା, ୬ଟି ମୋବାଇଲ ଫୋନ୍‌ ଏବଂ ୪ଟି ବାଇକ୍‌ ଜବତ କରିଛି । ଗିରଫ ଆସାମୀ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଆଠ ଜଣ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସୁନୀଲ ହରିଜନ, ବାବୁଲା ହରିଜନ, ନାଗେଶ୍ୱର ରାଓ, ସମୀର ନାଗ, ଚନ୍ଦ୍ର ଗଉଡ, ମାଧବ ଗଣ୍ଡା ଓ ଉଗ୍ରେ ହରିଜନ ବୋଲି ସୂଚନା ମିଳିଛି । ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ ସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ପାଞ୍ଚଜଣ ଫେରାର ଥିବା ଜଣାପଡିଛି ।

କଳାହାଣ୍ଡି ଏସ୍‌ ପି ଡ.ଶ୍ରବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ଏସ୍‌ଡିିଓ ଏବଂ ଜୟପାଟ ଥାନା ମହିଳା ଅଧିକାରୀ ତନାଘନା କରି ମାତ୍ର ଆଠଦିନ ଦିନ ମଧ୍ୟରେ ଏହି ଡକାୟତ ଦଳଙ୍କୁ କାବୁ କରିବାରେ ସଫଳ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପୋଲିସ ପ୍ରଶାସନ ପ୍ରତି ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବିଭିନ୍ନ ମାରଣାସ୍ତ୍ର ରେ ସଜ୍ଜିତ ହୋଇ ଏହି ଡକାୟତ ଦଳ ଗତ ତା ୧୦.୬.୨୧ ମଧ୍ୟରାତ୍ରରେ ନୂଆଗୁଡା ଗ୍ରାମର ଶିକ୍ଷକ ଭକ୍ତରାମ ଗୌନ୍ତିଆଙ୍କ ଘରୁ ପରିବାର ଲୋକଙ୍କୁ ଭୟଭୀତ କରି ନଗଦ ୫ଲକ୍ଷ ୩୫ ହଜାର ଟଙ୍କା ଓ ୫ ଭରି ସୁନା ଲୁଟି ନେଇଥିଲେ । ଏ ସମ୍ପର୍କରେ ଜୟପାଟଣା ଥାନାରେ କେଶ୍‌ ନଂ୧୭୦/୨୧ରେ ମାମଲା ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.