କ୍ୟାନ୍ସର ଟିକା ନେଇ ଆସିଲା ବଡ଼ ଖବର, ଏହି ଦିନ ଯୁବତୀଙ୍କୁ ମିଳିବ ଭ୍ୟାକ୍ସିନ

ନୂଆଦିଲ୍ଲୀ: କର୍କଟ’ ଏପରି ଏକ ଶବ୍ଦ ଯାହାର ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପସିଥାଏ । ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ଭାରତରେ ଏହି ମାରାତ୍ମକ ରୋଗର ପରିସଂଖ୍ୟାନ କମ୍ ନୁହେଁ ।

ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗର ଶିକାର ହୁଅନ୍ତି । ଦେଶରେ କର୍କଟ ରୋଗର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

ମହିଳାମାନଙ୍କଠାରେ କର୍କଟ ରୋଗକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଟିକା ଉପଲବ୍ଧ ହେବ ।  ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଟିକା ଆଗାମୀ ପାଞ୍ଚରୁ ଛଅ ମାସ ମଧ୍ୟରେ ଉପଲବ୍ଧ ହେବ ଏବଂ ଏହା 9 ରୁ 16 ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଜାଧବଙ୍କ ଅନୁଯାୟୀ, ଏହି ଟୀକା ମହିଳାଙ୍କଠାରେ ଦେଖାଯାଉଥିବା ସାଧାରଣ ପ୍ରକାରର କର୍କଟ ଯେପରିକି ସ୍ତନ କର୍କଟ, ମୁଖ କର୍କଟ ଏବଂ ଗର୍ଭାଶୟ କର୍କଟ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିବ। ସେ କହିଛନ୍ତି ଯେ ଏହି ଟୀକା ଉପରେ ଗବେଷଣା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହାର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ରହିଛି ।